ସଚିନ ନ‌ ଫେରିଥିଲେ ରାଜସ୍ଥାନ କଂଗ୍ରେସ ବି ଭୁଶୁଡ଼ିଥାନ୍ତା

ଜୟପୁର: ଦୀର୍ଘ ଗୋଟିଏ ମାସ ଧରି ଲାଗି ରହିଥିବା ରାଜସ୍ଥାନ ରାଜନୈତିକ ସଙ୍କଟର ପରିସମାପ୍ତି ହୋଇଛି। ପାଇଲଟ୍‌ ବିଦ୍ରୋହରୁ ଓହରି ଜୟପୁର ଫେରିବା ସହ ସବୁକିଛି ସ୍ବାଭାବିକ ହୋଇଯାଇଛି। କିନ୍ତୁ ଏବେ ପ୍ରଶ୍ନ ଉଠିଛି କଂଗ୍ରେସ ପାଇଲଟ୍‌ଙ୍କୁ ଫେରାଇବାର କାରଣ କ’ଣ। ମୁଖ୍ୟତଃ ୪ଟି ପ୍ରମୁଖ କାରଣ ପାଇଁ କଂଗ୍ରେସ ପାଇଲଟ୍‌ଙ୍କୁ ଫେରାଇଥିବା କୁହାଯାଉଛି। କଂଗ୍ରେସ ପାଇଲଟ୍‌ଙ୍କ ଗୁରୁତ୍ବକୁ ଭଲଭାବେ ବୁଝିପାରିଛି। କେବଳ ରାଜସ୍ଥାନ ବିଧାନସଭା ନିର୍ବାଚନରେ ନୁ‌ହେଁ ବରଂ ଆଗାମୀ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ପାଇଲଟ୍‌ଙ୍କ ଭୂମିକାକୁ ଭଲଭାବେ ବୁଝି କଂଗ୍ରେସ ଏଭଳି ନିଷ୍ପତ୍ତି ନେଇଛି। ପ୍ରିୟଙ୍କା ୨୦୨୨ ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ରାଜ୍ୟରେ ପ୍ରାୟ ୫୫ ପ୍ରତିଶତ ଆସନ ଗୁର୍ଜର ସମ୍ପ୍ରଦାୟଙ୍କ ପ୍ରଭାବ ଥିବା ଅଞ୍ଚଳରେ ରହିଛି। ପାଇଲଟ୍‌ଙ୍କର ଏହି ଅଞ୍ଚଳରେ ବେଶ୍‌ ଭଲ ଦଖଲ ରହିଛି। ଯଦି ପାଇଲଟ୍‌ କଂଗ୍ରେସ ଛାଡ଼ିଥାନ୍ତେ ତେବେ ଦଳ ଏଠାରେ ଭୁଶୁଡ଼ିବା ସ୍ଥିତିକୁ ଆସିଥାନ୍ତା। ଏହାବାଦ୍‌ ମଧ୍ୟପ୍ରଦେଶରେ ୧୪ଟି ଆସନର ଭାଗ୍ୟ ମଧ୍ୟ ଏହି ସମ୍ପ୍ରଦାୟ ଉପରେ ନିର୍ଭର କରେ। ହରିୟାଣା, ଦିଲ୍ଲୀ ଏବଂ ଉତ୍ତର ଭାରତର ଅନ୍ୟ ଅଂଶରେ ସେମାନଙ୍କ ସଂଖ୍ୟା ଅଧିକ ରହିଛି। ଅଧିକାଂଶ ନିର୍ବାଚନମଣ୍ଡଳୀରେ ଗୁର୍ଜର ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ଅଧିକ। ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ରାଜସ୍ଥାନ ନିର୍ବାଚନରେ ଜିତିବାର ଏକ ପ୍ରମୁଖ କାରଣ ହେଉଛି ଏହି ସମ୍ପ୍ରଦାୟର ସମର୍ଥନ। ଭୋଟ୍‌ବ୍ୟାଙ୍କ୍‌ର କେବଳ ୭ ପ୍ରତିଶତ କେବଳ ଗୁଜର ସମ୍ପ୍ରଦାୟରୁ ଆସିଛି। ପ୍ରିୟଙ୍କା ଗୁଜର ସମ୍ପ୍ରଦାୟ ଉପରେ ପାଇଲଟ୍‌ଙ୍କ ଦଖଲକୁ ଭଲଭାବେ ହୃଦ୍‌ବୋଧ କରିବାପରେ ସେ ଗେହଲଟ୍‌ ଏବଂ ପାଇଲଟ୍‌ଙ୍କ ମଧ୍ୟରେ ଥିବା ଭୁଲ୍‌ ବୁଝାମଣାକୁ ସୁଧାରିବାକୁ ଚେଷ୍ଟା କରିଥିଲେ। ପାଇଲଟ୍‌ଙ୍କୁ କଂଗ୍ରେସ ଦଳକୁ ଫେରାଇ ଆଣିବାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି, ଯୁବ ନେତାମାନେ ପାଇଲଟ୍‌ଙ୍କ ପ୍ରତ୍ୟାବର୍ତ୍ତନ ଚାହିଥିଲେ। ପାଇଲଟ୍‌ ଦଳ ଛାଡ଼ିବା ସହ ଅନେକ ଯୁବ ନେତାମଧ୍ୟ ଦଳ ଛାଡ଼ିଦେବେ ବୋଲି ଦାବି ହୋଇଥିଲା। ତେଣୁ ଏହା ମଧ୍ୟ ପାଇଲଟ୍‌ଙ୍କୁ ଦଳକୁ ଫେରାଇ ଆଣିବାର ଅନ୍ୟ ଏକ କାରଣ। ମିଳିଥିବା ସୂଚନାନୁଯାୟୀ ଜମ୍ମୁ କାଶ୍ମୀରର ଅବଦୁଲ୍ଳା ପରିବାର ଉକ୍ତ ପ୍ରସଙ୍ଗରେ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି। ସେମାନେ ମଧ୍ୟ ରାଜସ୍ଥାନ ରାଜନୈତିକ ସଙ୍କଟର ସମାଧାନ ଦିଗରେ ସହଯୋଗ କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର