ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନ ଅର୍ଥନୈତିକ ଅଭିବୃଦ୍ଧି ଲାଗି ମଧ୍ୟ ଘାତକ ବୋଲି କୁହାଯାଉଛି। ଏବେ ସାରା ଦେଶରେ ଚାଲିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଗୁରୁତର ଭାବେ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି କରିଛି। କେଲୋଗ୍ ସ୍କୁଲ୍ ଅଫ୍‌ ମ୍ୟାନେଜମେଣ୍ଟ୍‌ର ପ୍ରଫେସର ବେଞ୍ଜାମିନ୍ ଏଫ୍ ଜୋନ୍‌ସଙ୍କ ମତରେ ଅଭିବୃଦ୍ଧି ସହ ତାପମାତ୍ରା ବୃଦ୍ଧିର ସିଧାସଳଖ ସମ୍ପର୍କ ରହିଛି। ତାହା କୃଷି କ୍ଷେତ୍ରଠାରୁ ଆରମ୍ଭ କରି ମାନୁଫାକ୍‌ଚରିଂ (ବିନିର୍ମାଣ) ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରିଥାଏ। ତାପମାତ୍ରାରେ ଏକ ଡିଗ୍ରି ବୃଦ୍ଧି ହେଲେ ସେହି ଅଞ୍ଚଳର ଅଭିବୃଦ୍ଧି ପ୍ରାୟ ୨ ପ୍ରତିଶତ ହ୍ରାସ ପାଏ।

Advertisment

କୃଷି, କାରଖାନା ଉତ୍ପାଦନ ହ୍ରାସ ପାଏ
ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୁଏ
ପୁଞ୍ଜିନିବେଶ ବି କମିଥାଏ
ଧନୀ-ଗରିବ ବ୍ୟବଧାନ ବଢ଼ାଏ

ସେ କହିଛନ୍ତି ଯେ ଦ୍ବିତୀୟ ବିଶ୍ବଯୁଦ୍ଧ ପରଠାରୁ ତାପମାତ୍ରାରେ ବୃଦ୍ଧି ଓ ଅର୍ଥନୀତି ଉପରେ ତାହାର ପ୍ରଭାବର ବିଭିନ୍ନ ତଥ୍ୟକୁ ଅନୁଶୀଳନ କରାଯାଇଛି। ଏଭଳିକି ଅତ୍ୟଧିକ ଗରମ ଦିନରେ ଲୋକମାନେ କିଭଳି କାମ କରୁଛନ୍ତି, ଫସଲର ଅମଳ କିଭଳି ରହୁଛି ଆଦିକୁ ମଧ୍ୟ ଅନୁଧ୍ୟାନ କରାଯାଇଛି। ଏହା ପରେ ଅର୍ଥନୀତି ଉପରେ ତାହାର ପ୍ରକୃତ ପ୍ରଭାବକୁ ଜାଣିବା ଲାଗି ଆମେ ଉଦ୍ୟମ କରିଛୁ ବୋଲି ସେ କହିଛନ୍ତି। ତାଙ୍କ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ବିକାଶଶୀଳ ଅର୍ଥନୀତି ଲାଗି ଅତ୍ୟଧିକ ତାପମାତ୍ରା ଅଧିକ କ୍ଷତିକାରକ ସାବ୍ୟସ୍ତ ହୋଇଛି। ଯେତେବେଳେ ଏକ ସ୍ବଳ୍ପ ଆୟକାରୀ ଦେଶରେ ତାପମାତ୍ରା ଏକ ଡିଗ୍ରି ବୃଦ୍ଧି ପାଏ ସେଠ‌ାରେ ଅଭିବୃଦ୍ଧି ୧ କିମ୍ବା ୨ ପ୍ରତିଶତ ହ୍ରାସ ପାଇଥାଏ। ଉଦାହରଣ ଦେଇ ସେ କହିଛନ୍ତି ଯେ ଯଦି ଭାରତ ୬ ପ୍ରତିଶତ ହାରରେ ଆଗକୁ ବଢ଼ୁଛି ଏବଂ ଏହାର ତାପମାତ୍ରାରେ ୧ ଡିଗ୍ରି ବୃଦ୍ଧି ହେବ ତେବେ ଦେଶର ଅଭିବୃଦ୍ଧି ୫%କୁ ଖସିଆସିବ।

publive-image dw

ଅତ୍ୟଧିକ ଗରମ ହୋଇଥିବା ବର୍ଷରେ ପୁଞ୍ଜିନିବେଶ ହ୍ରାସ ପାଇବାର ନଜିର ମଧ୍ୟ ରହିଛି। ଅଧିକ ତାପମାତ୍ରା ବିଶେଷ କରି କୃଷି କ୍ଷେତ୍ର ଲାଗି କ୍ଷତିକାରକ। କାରଣ ଏହା ଦ୍ବାରା ଫସଲ ନଷ୍ଟ ହୋଇଥାଏ ଏବଂ କ୍ଷେତରେ ଶ୍ରମିକମାନେ ଯେତିକି ସମୟ କାମ କରିବା କଥା ଗରମ ଯୋଗୁଁ କରିପାରନ୍ତି ନାହିଁ। କାରଖାନାରେ ଉତ୍ପାଦନକୁ ମଧ୍ୟ ଅତ୍ୟଧିକ ତାପମାତ୍ରା ପ୍ରଭାବିତ କରୁଛି। ନିର୍ମାଣ କ୍ଷେତ୍ରରେ ଶ୍ରମିକମାନେ ଖରାରେ ଅଧିକ ସମୟ କାମ କରିପାରୁନାହାନ୍ତି। ଗରମ ଯୋଗୁଁ ପିଲାମାନଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହୋଇଥାଏ। ସେମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରନ୍ତି ନାହିଁ ବୋଲି ସେ ଜଣାଇଛନ୍ତି। ଅତ୍ୟଧିକ ଗରମ ଯୋଗୁଁ ଆୟରେ ବୈଷମ୍ୟ ମଧ୍ୟ ଦେଖାଦିଏ। ଧନୀ ଓ ଗରିବଙ୍କ ମଧ୍ୟରେ ବ୍ୟବଧାନ ବଢ଼ିଯାଏ ଯାହା ଏକ ସୁସ୍ଥ ଅର୍ଥନୀତିର ସଙ୍କେତ ନୁହେଁ।

ଏହି ସମସ୍ୟାରୁ ନିସ୍ତାର ପାଇବା ଲାଗି ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଏକ ବଡ଼ ମାଧ୍ୟମ ବୋଲି ସେ କହିଛନ୍ତି। କିନ୍ତୁ ତାହା ଅକ୍ଷୟ ଶକ୍ତିରେ ପରିଚାଳିତ ହେବା ଦରକାର ବୋଲି ସେ ସ୍ପଷ୍ଟ କରିଛନ୍ତି।