ମୁମ୍ବାଇ: ବମ୍ବେ ହାଇକୋର୍ଟ ସୋମବାର କହିଛନ୍ତି ଯେ ଯଦି ଗୋଟିଏ ଦିନ ପାଇଁ ପ୍ରଧାନମନ୍ତ୍ରୀ ଓ ଅନ୍ୟ ଭିଭିଆଇପିଙ୍କ ପାଇଁ ରାସ୍ତା ଓ ଫୁଟପାଥ୍ ସଫା ହୋଇପାରୁଛି, ତେବେ ଅନ୍ୟ ସମସ୍ତଙ୍କ ପାଇଁ ଏହା ଦୈନିକ କାହିଁକି ସଫା କରାଯାଇ ପାରିବ ନାହିଁ? ଫୁଟପାଥ୍ ଓ ଚାଲିବା ପାଇଁ ଏକ ସୁରକ୍ଷିତ ସ୍ଥାନ ରହିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର ଏବଂ ରାଜ୍ୟ ସରକାର ଏହା ପ୍ରଦାନ କରିବାକୁ ବାଧ୍ୟ ବୋଲି ଜଷ୍ଟିସ୍ ଏମ୍‌ଏସ୍ ସୋନକ ଓ ଜଷ୍ଟିସ୍ କମଲ ଖତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ମୁମ୍ବାଇର ଫୁଟପାଥ୍ ଜବରଦଖଲ କରୁଥିବା ଅନଧିକୃତ ହକରମାନଙ୍କ ସମସ୍ୟାର ସମାଧାନ ପାଇଁ କ'ଣ କରାଯାଇପାରିବ ରାଜ୍ୟ ସରକାର ଏବେ ହିଁ ସେ ସମ୍ପର୍କରେ ନିଷ୍ପତ୍ତି ନେବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି।

Advertisment

ଗତବର୍ଷ ମୁମ୍ବାଇରେ ବେଆଇନ ଓ ଅନଧିକୃତ ହକର ଓ ବିକ୍ରେତାଙ୍କ ସମସ୍ୟାକୁ ହାଇକୋର୍ଟ ସ୍ୱୟଂ ବିଚାରକୁ ନେଇଥିଲେ। ସୋମବାର ଖଣ୍ଡପୀଠ କହିଛନ୍ତି, ନାଗରିକମାନେ କରଦାତା... ସେମାନଙ୍କ ଚାଲିବା ପାଇଁ ଏକ ଫୁଟପାଥ୍ ରହିବା ଆବଶ୍ୟକ। ଆମେ ଆମ ପିଲାମାନଙ୍କୁ ଫୁଟ୍‌ପାଥରେ ଚାଲିବାକୁ କହିଥାଉ କିନ୍ତୁ ଯଦି ଫୁଟପାଥ୍ ହିଁ ନାହିଁ, ତେବେ ଆମେ ପିଲାଙ୍କୁ କ'ଣ କହିବୁ? ବର୍ଷ ବର୍ଷ ଧରି କର୍ତ୍ତୃପକ୍ଷ ଏ ଦିଗରେ କାମ କରୁଛନ୍ତି ବୋଲି କହୁଛନ୍ତି। କିନ୍ତୁ ଇଚ୍ଛାଶକ୍ତିର ଅଭାବ ହେତୁ କିଛି କରିପାରୁ ନାହାନ୍ତି। ଅଦାଲତ ବିଏମ୍‌ସିକୁ ସମସ୍ତ ହକରଙ୍କୁ ଚିହ୍ନଟ କରି ଏକ ଡାଟାବେସ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୨କୁ ଧାର୍ଯ୍ୟ କରାଯାଇଛି।