ନୂଆଦିଲ୍ଲୀ: ନିଟ୍‌-ୟୁଜି, ୨୦୨୪ ପରୀକ୍ଷାରେ ହୋଇଥିବା ପ୍ରଶ୍ନପତ୍ର ଲିକ୍‌ ଏବଂ ଦୁର୍ନୀତି ସମ୍ପର୍କିତ ଆଗତ ଆବେଦନ ଉପରେ ଦେଶର ଶୀର୍ଷ ଅଦାଲତ ସୁପ୍ରିମକୋର୍ଟ ଆଜି ନୋଟିସ୍‌ ଜାରି କରିବା ସହ ନ୍ୟାସନାଲ ଟେଷ୍ଟିଂ ଏଜେନ୍‌ସି (ଏନଟିଏ) ଏବଂ କେନ୍ଦ୍ର ସରକାରଙ୍କୁ ଏ ପ୍ରସଙ୍ଗରେ ଜବାବ ମାଗିଛନ୍ତି। ଏଥିସହ ଏହି ଘଟଣାରେ ଯଦି କାହାର ୦.୦୦୧% ଅବହେଳାର ପ୍ରମାଣ ମିଳେ ତେବେ ତା’ ବିରୋଧରେ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବଂ ନିଟ୍‌ ପରୀକ୍ଷାରେ ୦.୦୦୧% ଅବହେଳାକୁ ବି ବରଦାସ୍ତ କରାଯିବନି ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

Advertisment

ନିଟ-ୟୁଜି, ୨୦୨୪ ପରୀକ୍ଷା ସମ୍ପର୍କିତ ଏକାଧିକ ଆବେଦନର ଶୁଣାଣି କରୁଛନ୍ତି ଅବକାଶକାଳୀନ ଖଣ୍ଡପୀଠ। ମେଡିକାଲ କଲେଜ ପରୀକ୍ଷାର୍ଥୀଙ୍କ ପାଇଁ ଦେଶବ୍ୟାପୀ ପରୀକ୍ଷା ଆୟୋଜନ କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍‌ସିକୁ ଚଳିତ ବର୍ଷର ଅବହେଳା ପାଇଁ ସୁପ୍ରିମ୍‌କୋର୍ଟ କଡ଼ା ସମାଲୋଚନା କରିଛନ୍ତି।

ଗତ ସପ୍ତାହରେ ଏନଟିଏ ସୁପ୍ରିମ୍‌କୋର୍ଟଙ୍କୁ କହିଥିଲା ଯେ ନିଟ୍‌-ୟୁଜି ପରୀକ୍ଷାରେ ୧୫୬୩ ଜଣ ପରୀକ୍ଷାର୍ଥୀଙ୍କୁ ଦିଆଯାଇଥିବା ଗ୍ରେସ୍‌ ମାର୍କକୁ ରଦ୍ଦ କରାଯିବ ଏବଂ ଜୁନ୍‌ ୨୩ରେ ପରୀକ୍ଷାର୍ଥୀମାନେ ପୁଣି ଥରେ ପରୀକ୍ଷା ଦେବାର ବିକଳ୍ପ ରହିଛି। ଜୁନ୍‌ ୩୦ ତାରିଖ ପୂର୍ବରୁ ପୁନଃ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସର୍ବୋଚ୍ଚ ନ୍ୟାୟାଳୟକୁ କୁହାଯାଇଛି।