ଏହି ୧୦ଟି ରାଜ୍ୟ କୋଭିଡ-୧୯କୁ ପରାସ୍ତ କଲେ ଭାରତ କରୋନା ଲଢ଼େଇରେ ବିଜୟୀ ହେବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦେଶର ୧୦ଟି ରାଜ୍ୟ ଯଦି କୋଭିଡ୍‌-୧୯କୁ ପରାସ୍ତ କରିଦିଅନ୍ତି, ତେବେ ଭାରତ କରୋନାଭାଇରସ୍‌ ବିପକ୍ଷରେ ଆରମ୍ଭ କରିଥିବା ଲଢ଼େଇରେ ଜିତିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଦେଶରେ କୋଭିଡ୍‌-୧୯ ସ୍ଥିତି ଓ କରୋନାଭାଇରସ୍‌ ସଙ୍କଟ ଉପରେ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ମୋଦୀ ଏକଥା କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏକ ସମୀକ୍ଷାରୁ ଜଣାପଡିଛି ଯେ ଯଦି ଆମେ ୧୦ଟି ରାଜ୍ୟରେ କରୋନାଭାଇରସକୁ ପରାସ୍ତ କରୁ ତେବେ ଦେଶ ମଧ୍ୟ ଜିତିବ। ସେ କହିଛନ୍ତି, ଆଲୋଚନାରୁ ଏହା ଜଣାପଡିଛି ଯେ ବିହାର, ଗୁଜୁରାଟ, ୟୁପି, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାରେ କୋଭିଡ୍‌-୧୯ ପରୀକ୍ଷାକୁ ତ୍ୱରାନ୍ଵିତ କରିବାର ଆବଶ୍ୟକତା ରହିଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନଲକ୍‌ ୩ ଘୋଷଣା କରାଯିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ବିହାର, ଗୁଜୁରାଟ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ପଞ୍ଜାବ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିଶେଷଜ୍ଞମାନେ କହିଛନ୍ତି ଯଦି ଆମେ ବ୍ୟକ୍ତି କରୋନା ସଂକ୍ରମିତ ହେବାର ୭୨ଘଣ୍ଟା ମଧ୍ୟରେ କୋଭିଡ୍‌-୧୯ ମାମଲା ଚିହ୍ନଟ କରୁ, ତେବେ ସଂକ୍ରମଣ ବହୁ ମାତ୍ରାରେ ମନ୍ଥର ହୋଇଯାଏ। ସେ କହିଛନ୍ତି, ଏପର୍ଯ୍ୟନ୍ତ ଆମର ଅଭିଜ୍ଞତା ହେଉଛି କଣ୍ଟେଣ୍ଟମେଣ୍ଟ, କଣ୍ଟାକ୍ଟ ଟ୍ରାକିଂ ଏବଂ ସର୍ଭେ ହେଉଛି କୋଭିଡ୍‌-୧୯ ବିରୋଧରେ ସବୁଠାରୁ ପ୍ରଭାବଶାଳୀ ଅସ୍ତ୍ର।

News Nation

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ଥିଲା ସପ୍ତମ ବୈଠକ।

ସମ୍ବନ୍ଧିତ ଖବର