ନୂଆଦିଲ୍ଲୀ,: କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏବଂ ଆଇସିଏମ୍ଆର ଡିଜି ଡାକ୍ତର ବଳରାମ ଭାର୍ଗବ ଆଜି ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଛନ୍ତି। ଦେଶରେ କରୋନା ସଂକ୍ରମଣ ଅଚାନକ ବୃଦ୍ଧି ପାଇଥିବାରୁ କେନ୍ଦ୍ର ସରକାର ଟେଷ୍ଟିଂ ବୃଦ୍ଧି ଉପରେ ଗୁରୁତ୍ବ ଦେଇଛନ୍ତି। ରୢାପିଡ ଆଣ୍ଟିଜେନ୍ ଟେଷ୍ଟ୍ ଏବଂ ହୋମ୍ ଟେଷ୍ଟ୍ କିଟ୍ର ବ୍ୟବହାର ପାଇଁ ଲୋକମାନଙ୍କୁ ଉତ୍ସାହିତ କରିବାକୁ ହେବ।
କରୋନାର ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ୍ କରିବାପାଇଁ ସରକାର କହିଛନ୍ତି। ଏଥିସହ ସରକାର ୮ଟି ଲକ୍ଷଣ ତାଲିକାଭୁକ୍ତ କରିଛନ୍ତି। କାଶ କିମ୍ବା ବିନା କାଶ ସହ ଜ୍ବର, ମୁଣ୍ଡବିନ୍ଧା, ଗଳା ସଂକ୍ରମଣ, ଅଣନିଶ୍ବାସୀ ଲାଗିବା, ଶରୀରରେ ଯନ୍ତ୍ରଣା, ସ୍ବାଦ ଏବଂ ଘ୍ରାଣ ଶକ୍ତି ହରାଇବା, ଅତ୍ୟନ୍ତ କ୍ଳାନ୍ତ ଲାଗିବା ଏବଂ ଡାଇରିଆକୁ କରୋନା ଲକ୍ଷଣ ଭାବେ ତାଲିକାଭୁକ୍ତ କରାଯାଇଛି।
ମଝି ଆକାଶରେ କରୋନା ସଂକ୍ରମିତ ହେଲେ ମହିଳା: ୩ ଘଣ୍ଟା ଟଏଲେଟ୍ରେ ବନ୍ଦୀ
ନ୍ୟୁୟର୍କ,: ଆମେରିକାର ଜଣେ ମହିଳା ମଝି ଆକାଶରେ କରୋନା ସଂକ୍ରମିତ ହୋଇଛନ୍ତି। ସେ ସିକାଗୋରୁ ଆଇସଲାଣ୍ଡ୍କୁ ଏକ ବିମାନରେ ଯାଉଥିବାବେଳେ ବାଟରେ ତାଙ୍କ ତଣ୍ଟିରେ ଖୁବ୍ ଜୋର ଯନ୍ତ୍ରଣା ହୋଇଥିଲା। ସେ ତୁରନ୍ତ ବିମାନର ଟଏଲେଟ୍କୁ ଯାଇ ରୢାପିଡ୍ କୋଭିଡ୍ ଟେଷ୍ଟ କରିଥିଲେ। ତାଙ୍କ ରିପୋର୍ଟ ପଜିଟିଭ୍ ଆସିବାରୁ ତାଙ୍କୁ ୩ ଘଣ୍ଟା ଆଇସୋଲେସନରେ ରହିବାକୁ ପଡ଼ିଥିଲା।
ଗତ ଡିସେମ୍ବର ୧୯ ତାରିଖରେ ଏହି ଘଟଣା ଘଟିଥିଲା। କରୋନା ସଂକ୍ରମିତ ହୋଇଥିବା ଏହି ମହିଳା ହେଉଛନ୍ତି ମିଚିଗାନ୍ର ଜଣେ ଶିକ୍ଷକ। ତାଙ୍କ ନାମ ମାରିସା ଫୋଟିଓ। ଫୋଟିଓ କହିଛନ୍ତି, ବିମାନ ଉଡ଼ାଣ ପୂର୍ବରୁ ସେ ୨ଟି ପିସିଆର ଟେଷ୍ଟ୍ କରିଥିଲେ ଏବଂ ୫ଟି ରୢାପିଡ ଟେଷ୍ଟ କରିଥିଲେ। କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ତେବେ ବିମାନ ମଧ୍ୟରେ ଦେଢ଼ ଘଣ୍ଟା ରହିବାପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଲା। ଫୋଟିଓ ସମ୍ପୂର୍ଣ୍ଣ ଟିକା ନେବା ସହ କରୋନାର ବୁଷ୍ଟର ଡୋଜ୍ ମଧ୍ୟ ନେଇଛନ୍ତି।