ନୂଆଦିଲ୍ଲୀ: ଚଳିତ ବର୍ଷ ଫେବ୍ରୁଆରି ୨୪ରେ ରୁଷ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲା। ହେଲେ ଏବେ ବି ଏହି ଯୁଦ୍ଧ ଦୁଇ ଦେଶ ମଧ୍ୟରେ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏହାର ଲାଭ ଭାରତ ଉଠାଉଥିବା ଆରୋପ ଲଗାଇଛନ୍ତି ୟୁକ୍ରେନ୍‌ର ବୈଦେଶିକ ମନ୍ତ୍ରୀ ଡିମିତ୍ରୋ କୁଲେବା। ଭାରତ ଏବେ ରୁଷରୁ ଶସ୍ତା ମୂଲ୍ୟରେ ତେଲ କିଣୁଥିବାରୁ ୟୁକ୍ରେନ ପାଇଁ ଏହା ସମ୍ଭବ ହୋଇପାରିଥିବା କହିଛନ୍ତି ଡିମିତ୍ରୋ କୁଲେବା।

Advertisment

ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଶସ୍ତା ମୂଲ୍ୟରେ ରୁଷିଆରୁ ତେଲ କିଣିବା ଭାରତ ପାଇଁ ସହଜ ହେଉଛି, କାରଣ ୟୁକ୍ରେନୀୟମାନେ ରୁଷର ଆକ୍ରୋଶର ଶିକାର ହେଉଛନ୍ତି ଏବଂ ପ୍ରତିଦିନ ମରୁଛନ୍ତି। ଯଦି ଭାରତ ଆମକୁ ମିଳୁଥିବା ଦୁଃଖ ପାଇଁ ଲାଭବାନ ହେଉଛି, ତେବେ ଭାରତ ଆମକୁ ଅଧିକ ସାହାଯ୍ୟ କରିବା ଉଚିତ। ଭାରତର ‌ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଜବାବ ଦେଇ ସେ ଏଭଳି କହିଥିବା ଜଣାପଡ଼ିଛି।

ଏସ.ଜୟଶଙ୍କର କହିଥିଲେ ଯେ, ୟୁରୋପୀୟ ସଂଘ ଭାରତ ଅପେକ୍ଷା ରୁଷରୁ ୬ଗୁଣ ଅଧିକ ତେଲ ଓ ଗ୍ୟାସ କିଣିଛି। ଫେବ୍ରୁଆରିରୁ ନଭେମ୍ବର ପର୍ଯ୍ୟନ୍ତ ଥିବା ତଥ୍ୟକୁ ଆଧାର କରି ଏଭଳି କହିଥିଲେ ଏସ.ଜୟଶଙ୍କର। ଏହା ଉପରେ ପ୍ରତିକ୍ରିୟା ରଖି ଡିମିତ୍ରୋ କୁଲେବା କହିଥିଲେ ଯେ, ୟୁରୋପୀୟ ସଂଘକୁ ଆଙ୍ଗୁଳି ନିର୍ଦ୍ଦେଶ କରିବା ଏବଂ କହିବା କି, ସେମାନେ ମଧ୍ୟ ସମାନ କାର୍ଯ୍ୟ କରୁଛନ୍ତି, ତାହା ଠିକ ନୁହେଁ। ଭାରତ, ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ କଥା ବହୁତ ପରିବର୍ତ୍ତନ ଆଣିପାରେ।