ବୋଲପୁର: ଯଦି କେହି ଅମର୍ତ୍ତ୍ୟ ସେନଙ୍କ ଘରକୁ ଛୁଅଁନ୍ତି, ମୁଁ କ’ଣ କରିପାରେ ତୁମେ ଜାଣନି ବୋଲି ଶୁକ୍ରବାର ଦିନ ପଶ୍ଚିମବଙ୍ଗର ବୋଲପୁରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ବାଦିକମାନଙ୍କୁ କହିଛନ୍ତି।

Advertisment

ନୋବେଲ୍‌ ବିଜୟୀ ଅମର୍ତ୍ତ୍ୟ ସେନଙ୍କୁ ‘ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟ’ ଜାରି କରିଥିବା ଉଚ୍ଛେଦ ଆଦେଶ ପ୍ରତି କଡ଼ା ଚେତାବନୀ ଶୁଣାଇ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଏମିତି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନିମ୍ନ ଅଦାଲତ ଏହି ମାମଲାରେ ରାୟ ଦେବା ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟର ଉଚ୍ଛେଦ ନୋଟିସ୍‌ ଉପରେ କାଲ୍‌କାଟା ହାଇକୋର୍ଟ ରହିତାଦେଶ ଜାରି କରିବାର ଦିନକ ପରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଚେତାବନୀ ଦେଇଛନ୍ତି। ମେ ୧୦ ତାରିଖ ଦିନ ନିମ୍ନ ଅଦାଲତ ଏହି ମାମଲାର ରାୟ ଶୁଣାଇବେ।

publive-image Image Courtesy of Mint

ଉଲ୍ଲେଖଯୋଗ୍ୟ, ସେନ୍‌ଙ୍କ ନିକଟକୁ ବିଶ୍ବବିଦ୍ୟାଳୟ ପଠାଇ ଥିବା ଉଚ୍ଛେଦ ନୋଟିସ୍‌ରେ ଉଲ୍ଲେଖ ଅଛି ଯେ, ଶାନ୍ତିନିକେତନ ପରିସରରେ ଆଇନତଃ ସେନ୍‌ଙ୍କର ୧.୨୫ ଏକର୍‌ ଜମି ଅଛି। କିନ୍ତୁ, ସେ ୧.୩୮ ଏକର୍‌ ଦଖଲ କରିଛନ୍ତି। ମେ ୬ ତାରିଖ ସୁଦ୍ଧା ଅବଶିଷ୍ଟ ୧୩ ସେସିମିଲ୍‌ ଜମି ଖାଲି କରିବା ଲାଗି ପୂର୍ବରୁ ସେନ୍‌ଙ୍କୁ କୁହାଯାଇଥିଲା।

ଚେତାବନୀ ସହିତ ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ, ସେ କୌଣସିମତେ ବିଶ୍ବବିଦ୍ୟାଳୟର ଏତାଦୃଶ କାର୍ଯ୍ୟକୁ ବରଦାସ୍ତ କରିବେ ନାହିଁ। ଏହାପୂର୍ବରୁ ବୁଧବାର ଦିନ ସେ ବୋଲପୁର ଷ୍ଟେସନ୍‌ରେ ଥିବା ‘ଟିଏମ୍‌ସି’ ଦଳର ନେତା ଓ କର୍ମୀମାନଙ୍କୁ ‘ବିଶ୍ବ ଭାରତୀ’ର ଉଚ୍ଛେଦ ନୋଟିସ ବିରୋଧରେ ଆନ୍ଦୋଳନ ଆରମ୍ଭ କରିବାକୁ କହିଥିଲେ।