ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ମହାମାରୀ କୋଭିଡ୍-୧୯ର ମୁକାବିଲା କ୍ଷେତ୍ରରେ ଏବେ ଅମ୍ଳଜାନ (ଅକ୍ସିଜେନ୍)ର ଘୋର ଅଭାବ ସମଗ୍ର ଦେଶରେ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ବହୁ କୋଭିଡ୍ ସଂକ୍ରମିତ ରୋଗୀ ଅମ୍ଳଜାନ ଅଭାବରୁ ମୃତ୍ୟୁ ମୁଖରେ ପଡ଼ୁଥିବାର ଅନେକ ଅଭିଯୋଗ ମଧ୍ୟ ହେଉଛି। ଏ ପରିସ୍ଥିତିରେ ଅମ୍ଳଜାନ ସଙ୍କଟର ସମାଧାନ ପାଇଁ ‘ଇଣ୍ଡିଆନ ଫାମର୍ସ ଫର୍ଟିଲାଇଜର କୋପରେଟିଭ୍ ଲିମିଟେଡ୍’ (ଇଫ୍କୋ) ନିଜର ସାର କାରଖାନାଗୁଡ଼ିକରେ ଅମ୍ଳଜାନ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତ ନେଇଛି ବୋଲି ଇଫ୍କୋର ପରିଚାଳନା ନିର୍ଦ୍ଦେଶକ ଡ. ୟୁ. ଏସ୍ ଅବସ୍ତି ଆଜି ଚିଠି ଲେଖି କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି।
ଇଫ୍କୋର ପରିଚାଳନା ନିର୍ଦ୍ଦେଶକ ଡ. ଅବସ୍ତି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଇତିମଧ୍ୟରେ ପ୍ରଥମ ଅମ୍ଳଜାନ ପ୍ଲାଣ୍ଟର ପ୍ରତିଷ୍ଠା କାର୍ଯ୍ୟ ଗୁଜୁରାଟର କଲୋଲଠାରେ ଥିବା ଇଫ୍କୋର ସାର କାରଖାନା ମଧ୍ୟରେ ଆରମ୍ଭ ହୋଇ ସାରିଛି। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଏହି ଅମ୍ଳଜାନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ସହ ଏଥିରୁ ଉତ୍ପାଦନ ଆରମ୍ଭ ହେବ। ଏହି ପ୍ଲାଣ୍ଟରୁ ପ୍ରତି ଦିନ ୩୩,୦୦୦ ଲିଟର ଅମ୍ଳଜାନ ଉତ୍ପାଦିତ ହେବା ସହ ଏଥିରୁ ଦୈନିକ ୭୦୦ଟି ଅମ୍ଳଜାନ ସିଲିଣ୍ଡର ପ୍ରସ୍ତୁତ ହୋଇପାରିବ ବୋଲି ସେ କହିଛନ୍ତି। ଏହି ପ୍ଲାଣ୍ଟର ପ୍ରତିଷ୍ଠା ନିମନ୍ତେ ପ୍ରାୟ ୭ କୋଟି ଟଙ୍କା ଖର୍ଚ୍ଚ ହେବ।
ସେହିପରି ଆଉ ଦୁଇ ସପ୍ତାହ ମଧ୍ୟରେ ଅନ୍ୟ ୩ଟି ଅମ୍ଳଜାନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମଧ୍ୟ ଇଫ୍କୋ ଲକ୍ଷ୍ୟ ରଖିଛି। ଏଥିମଧ୍ୟରୁ ଗୋଟିଏ ଓଡ଼ିଶାର ପାରାଦୀପ୍ ଠାରେ ପ୍ରତିଷ୍ଠା ହେବାକୁ ଥିବାବେଳେ ଅନ୍ୟ ଦୁଇଟି ଉତ୍ତରପ୍ରଦେଶର ଅଁଳା ଓ ଫୁଲପୁରଠାରେ ପ୍ରତିଷ୍ଠା ହେବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଏହି ପ୍ଲାଣ୍ଟରୁ ଉତ୍ପାଦିତ ଅମ୍ଳଜାନକୁ ଇଫ୍କୋ ବିନା ମୂଲ୍ୟରେ କୋଭିଡ୍ ହସ୍ପିଟାଲଗୁଡ଼ିକୁ ଯୋଗାଇଦେବ।