ପାନାଜୀ: ଗୋଆରେ ଆରମ୍ଭ ହୋଇଛି ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)। ପାନାଜୀର ଶ୍ୟାମାପ୍ରସାଦ ମୁଖାର୍ଜୀ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି ଏହାର ଉଦ୍ଘାଟନୀ ସମାରୋହ। ଏହି କାର୍ଯ୍ୟକ୍ରମରେ ସାହିଦ କପୁର, ମାଧୁରୀ ଦୀକ୍ଷିତ, ଶ୍ରେୟା ଶରଣ ଓ ନୁସରତ ଭରୁଚା ପ୍ରମୁଖ ଯୋଗ ଦେଇଛନ୍ତି। ଏଥିରେ ସାରା ଅଲ୍ଲୀ ଖାନ, ପଙ୍କଜ ତ୍ରିପାଠୀ ଏବଂ ବିଜୟ ସେତୁପଥୀ ସେମାନଙ୍କର ଆଗାମୀ ଫିଲ୍ମ ଆଏ ୱତନ ମେରେ ୱତନ, କଡକ ସିଂହ ଓ ଗାନ୍ଧି ଟକ୍ସର ପ୍ରଥମ ଲୁକ୍ ମଧ୍ୟ ଉନ୍ମୋଚନ କରିବେ। ସନି ଦେଓଲ, କରଣ ଜୋହର, ଶାନ୍ତନୁ ମୈତ୍ର, ଶ୍ରେୟା ଘୋଷାଲ ଓ ସୁଖବିନ୍ଦର ସିଂହ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଛନ୍ତି। ମହୋତ୍ସବର ଉଦ୍ଘାଟନୀ ସମାରୋହରେ ମାଧୁରୀ ଦୀକ୍ଷିତ ତାଙ୍କ ହିଟ୍ ଗୀତରେ ଡ୍ୟାନ୍ସ କରିଛନ୍ତି।
ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସଂହ ଠାକୁର ଏକ ବିବୃତିରେ କହିଛନ୍ତି ଯେ, ଦେଶର ବିଭିନ୍ନ ସ୍ଥାନରୁ ଆମର ଚଳଚ୍ଚିତ୍ର ନିର୍ମାତାଙ୍କ ଉତ୍ସାହ ଏବଂ ସମଗ୍ର ବିଶ୍ୱର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ସହ ଆମେ ଯେଉଁ ସହଯୋଗ ସ୍ଥାପନ କରିବାରେ ସକ୍ଷମ ହୋଇଛୁ ସେଥିପାଇଁ ଆଇଏଫ୍ଏଫ୍ଆଇ ପ୍ରତିବର୍ଷ ବୃଦ୍ଧି ପାଉଛି। ଉଦ୍ଘାଟନୀ ସମାରୋହରେ ନିଜର ପ୍ରଦର୍ଶନ ବିଷୟରେ ମାଧୁରୀ ଦୀକ୍ଷିତ କହିଛନ୍ତି, ସିନେମା ମୋତେ ବହୁତ କିଛି ଦେଇଛି, ବଦଳରେ କିଛି ଦେବାର ସମୟ ଆସିଛି। ଏଥିପାଇଁ ସଂଗୀତ ଓ ନୃତ୍ୟ ପ୍ରଦର୍ଶନଠାରୁ ଭଲ ଆଉ କ’ଣ ଅଛି, ଯାହା କେବଳ ଭାରତୀୟ ସିନେମା ନୁହେଁ, ବରଂ ଭାରତୀୟ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ। ଭାରତୀୟ ସିନେମା ପ୍ରତି ଯୋଗଦାନକୁ ସ୍ବୀକୃତି ଜଣାଇ ମାଧୁରୀଙ୍କୁ ସମ୍ମାନିତ କରାଯାଇଥିଲା। ୫୪ତମ ଆଇଏଫ୍ଏଫ୍ଆଇରେ ମାଇକେଲ ଡଗଲାସ, କ୍ୟାଥରିନ୍ ଜେଟା-ଜୋନ୍ସ, ସଲମାନ ଖାନ୍, ବିଦ୍ୟା ବାଲାନ, ଆୟୁଷ୍ମାନ ଖୁରାନା, ଅନୁପମ ଖେର, ଭିକି କୌଶଲ, ସିଦ୍ଧାର୍ଥ ମାଲହୋତ୍ରା ଏବଂ ଏଆର୍ ରେହମାନ୍ ପ୍ରମୁଖ ଯୋଗ ଦେବେ। ଡଗଲାସ ଚଳିତ ବର୍ଷ ସତ୍ୟଜିତ ରାୟ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇବେ।