ଭୁବନେଶ୍ବର : ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ(ଇଗ୍ନୋ)ର ୩୬ତମ ସମାବର୍ତ୍ତନ ଉତ୍ସବ ସୋମବାର ଦିନ ନୂଆଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୂର ଶିକ୍ଷା ମାଧ୍ୟମରେ ଉଚ୍ଚଶିକ୍ଷା ଲାଭ କରିବାକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ଭୁବନେଶ୍ବରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟସ୍ଥିତ ଏମ୍କେସିଜି ପ୍ରେକ୍ଷାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ବିଧୁଭୂଷଣ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ବର୍ତ୍ତମାନ ସମୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର। ତେଣୁ ଛାତ୍ରଛାତ୍ରୀ ସମୟ ସହ ତାଳ ଦେଇ ଆଗକୁ ବଢ଼ିବାକୁ ହେବ। ଇଗ୍ନୋ ଦ୍ବାରା ପ୍ରଦତ୍ତ ପାଠ୍ୟକ୍ରମରେ ଅଧିକାଂଶ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେଉଥିବା ଖୁସିର ବିଷୟ ବୋଲି ସେ କହିଥିଲେ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ନିର୍ଦ୍ଦେଶକ ସୁରେଶ କୁମାର ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରି କହିଲେ, ଗତ ଶିକ୍ଷାବର୍ଷରେ ଅନେକ ଶୈକ୍ଷିକ କାର୍ଯ୍ୟକ୍ରମ ନୂତନ ଭାବେ ପ୍ରଚଳନ କରାଯାଇଛି। ଯେଉଁଥିରେ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ ଓ ସହରୀ ପାଠ୍ୟକ୍ରମରେ ସ୍ନାତକୋତ୍ତର ଅନ୍ୟତମ। ଏଥିସହ ଏକାଧିକ ପିଜି, ଡିପ୍ଲୋମା, ସାର୍ଟିଫିକେଟ୍ ପାଠ୍ୟକ୍ରମ ମଧ୍ୟ ଯୋଡ଼ି ହୋଇଛି। ଯେଉଁଥିରେ ଓଡ଼ିଶାର ଛାତ୍ରଛାତ୍ରୀ ଉପକୃତ ହୋଇପାରୁଛନ୍ତି।
ଉତ୍ସବରେ ଆଞ୍ଚଳିକ କେନ୍ଦ୍ରର ସହ ନିର୍ଦ୍ଦେଶକ ପ୍ରଭାତ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପ ନିର୍ଦ୍ଦେଶକ ବିମଳଚନ୍ଦ୍ର ନନ୍ଦ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟତମ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ୯ହଜାର ୪୫୬ଜଣ କୃତୀ ଛାତ୍ରଛାତ୍ରୀ ଉପାଧି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୫୦ ଜଣଙ୍କୁ କାର୍ଯ୍ୟକ୍ରମରେ ଉପାଧି ପ୍ରଦାନ କରାଯାଇଥିଲା। ଛାତ୍ର ଚିତ୍ରସେନ ବେହେରା ବିଇଏଡ଼୍ ପାଠ୍ୟକ୍ରମରେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/ignou.jpg)