ନୂଆଦିଲ୍ଲୀ: ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କ ନାମ ଚର୍ଚ୍ଚାରେ ଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକ ବାବା ବାଲକନାଥ ଶନିବାର କହିଛନ୍ତି, ମୁଖ୍ୟମନ୍ତ୍ରୀ ଦୌଡ଼ରେ ମୁଁ ନାହିଁ। ଏଥିସହ ଲୋକଙ୍କୁ ଏଭଳି ଆଲୋଚନାକୁ ଅଣଦେଖା କରିବାକୁ ସେ କହିଛନ୍ତି। ବାବା ବାଲକନାଥ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅଭିଜ୍ଞତା ହାସଲ କରିବାର ଆବଶ୍ୟକତା ଅଛି।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବାଲକନାଥଙ୍କ ବ୍ୟତୀତ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ଅର୍ଜୁନ ମେଘୱାଲ ଏବଂ ଦିୟା କୁମାରୀଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ସମ୍ଭାବ୍ୟ ନାମ ତାଲିକାରେ ରହିଛି।
ତେବେ, ବାଲକନାଥ କହିଛନ୍ତି, ନିର୍ବାଚନ ଫଳାଫଳ ଘୋଷଣା ପରେ ପରେ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଯେଉଁ ଚର୍ଚ୍ଚା ଚାଲିଛି ତାହାକୁ ଅଣଦେଖା କରନ୍ତୁ। ଏବେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ମୋତେ ଅଭିଜ୍ଞତା ହାସଲ କରିବାକୁ ପଡ଼ିବ ବୋଲି ବାଲକନାଥ କହିଛନ୍ତି।
ବସୁନ୍ଧରା ରାଜେ ଝଲରାପଟନ ଆସନରୁ ଜିତିଥିବା ବେଳେ ଶେଖାୱତ ଏବଂ ମେଘୱାଲ ବିଧାନସଭା ନିର୍ବାଚନ ଲଢ଼ି ନଥିଲେ।
ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପାଇଁ ରାଜସ୍ଥାନରେ ନବ ନିର୍ବାଚିତ ବିଧାୟକଙ୍କ ସହ ବୈଠକ କରିବା ପାଇଁ ବିଜେପି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି।
ନଭେମ୍ବର ୨୫ ତାରିଖରେ ରାଜସ୍ଥାନ ବିଧାନସଭାର ୨୦୦ଟି ଆସନରୁ ୧୯୯ଟି ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ଡିସେମ୍ବର ୩ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା। ଶ୍ରୀଗଙ୍ଗାନଗରର କରଣପୁର ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ ଯୋଗୁଁ ସେଠାରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ସଦ୍ୟ ସମାପ୍ତ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପିକୁ ୧୧୫ଟି ଆସନ ମିଳିଛି ଏବଂ ରାଜସ୍ଥାନରେ ବିଜେପି ସରକାର ଗଠନ କରିବାକୁ ଯାଉଛି।