ମୁମ୍ବାଇ: ପ୍ରଥମ କରି ‘ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ବମ୍ବେ’ ଜଣେ ଅଜ୍ଞାତ ଦାତାଙ୍କଠାରୁ ୧୬୦ କୋଟି ଟଙ୍କା ପାଇଛି।
ଏହି ଚେକ୍ ଉକ୍ତ ପ୍ରତିଷ୍ଠାନରେ ଅଧ୍ୟୟନ କରିଥିବା ଜଣେ ଛାତ୍ରଙ୍କ ପାଖରୁ ଆସିଛି, କିନ୍ତୁ ସେ ଏହି ଦାନ କଥା ସମ୍ପୂର୍ଣ୍ଣ ଗୁପ୍ତ ରଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ଏ ଘଟଣାକୁ ‘ଆଇଆଇଟି-ବମ୍ବେ’ର ନିର୍ଦେଶକ ଶୁଭାଶିଷ ଚୌଧୁରୀ ମନ୍ଦିର ହୁଣ୍ଡିରେ ଲୋକେ ପକାଉଥିବା ଦାନ ଅର୍ଥ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି, ପ୍ରଥମ କରି ଆମେ ଅଜ୍ଞାତସୂତ୍ରରୁ ଦାନ ପାଇଲୁ। କହିବାକୁ ଗଲେ, ଆମେରିକାରେ ଏଭଳି ଘଟଣା ଅତି ସାଧାରଣ। କିନ୍ତୁ, ଦାତା ନିଜର ପରିଚୟ ଗୁପ୍ତ ରଖିବାକୁ କହି କୌଣସି ଭାରତୀୟ ବିଶ୍ବବିଦ୍ୟାଳୟକୁ ବ୍ୟକ୍ତିଗତ ଦାନ ଦେଇଥିବେ ବୋଲି ମୋର ମନେହୁଏ ନାହିଁ। ‘ଆଇଆଇଟି-ବମ୍ବେ’କୁ ପ୍ରଦତ୍ତ ଅର୍ଥ ଉଚିତ କାର୍ଯ୍ୟରେ ସଠିକ୍ ଭାବେ ବ୍ୟବହାର ହେବ ବୋଲି ଦାତା ଜାଣନ୍ତି।
/sambad/media/post_attachments/cd4cd7b146315ca0bf96a13451f72eedfc222a039f861124d800541e46a2401d.jpg)
ବଜେଟ୍ ହ୍ରାସ ଯୋଗୁଁ ‘ଆଇଆଇଟି-ବମ୍ବେ’ ପ୍ରଭାବିତ ହୋଇ ‘ହାଇୟର୍ ଏଜୁକେସନ୍ ଫାଇନା୍ନ୍ସିଆଲ୍ ଏଜେନ୍ସି’ ପାଖରୁ ଋଣ ଆଣୁଥିବା ବେଳେ ଉପରୋକ୍ତ ଅର୍ଥ ଦାନ ମିଳିଛି। ଏହି ଦାନ ଅର୍ଥରେ କ୍ୟାମ୍ପସ୍ରେ ‘ଗ୍ରିନ୍ ଏନର୍ଜି ଆଣ୍ଡ୍ ସସ୍ଟେନେବିଲିଟି ରିସର୍ଚ ହବ୍’ ସ୍ଥାପନ କାର୍ଯ୍ୟରେ ବ୍ୟୟ ହେବ। ଏହାଛଡ଼ା, ଦାନ ଅର୍ଥର କିଛି ଅଂଶ ନୂଆ ଭିତ୍ତିଭୂମି ନିର୍ମାଣରେ ଲାଗିବ। କିନ୍ତୁ, ଏଥିରୁ ସବୁଠୁ ଅଧିକ ଅର୍ଥ ବିନିଯୋଗ କରାଯିବ ଗବେଷଣା କ୍ଷେତ୍ରରେ।