ଏହି ଆଇଆଇଟି ଆରମ୍ଭ କଲା ନିଆରା କୋର୍ସ, ପ୍ରାଚୀନ ବିଜ୍ଞାନକୁ ସଂସ୍କୃତରେ ପଢିବେ ଛାତ୍ରଛାତ୍ରୀ

ଇନ୍ଦୋର: ଦେଶର ଅନ୍ୟତମ ପ୍ରତିଷ୍ଠାନ ଆଇଆଇଟି-ଇନ୍ଦୋର ବର୍ତ୍ତମାନ ସଂସ୍କୃତରେ ବିଜ୍ଞାନ ଶିକ୍ଷା ଦେବା ଆରମ୍ଭ କରିଛି। ଏହି ଅନୁଷ୍ଠାନ ପ୍ରାଚୀନ ଭାରତୀୟ ବିଜ୍ଞାନ ବିଷୟରେ ଶିକ୍ଷା ଦେବ, ଯାହା ମୁଖ୍ୟତଃ ସଂସ୍କୃତରେ ଲେଖାଯାଇଥିଲା | ଏହି ପାଠ୍ୟକ୍ରମ ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ବହୁ ଛାତ୍ରଛାତ୍ରୀ ପଞ୍ଜିକରଣ କରାଇଛନ୍ତି | ରିପୋର୍ଟ ଅନୁଯାୟୀ, ଏହି କୋର୍ସର ପ୍ରଥମ ବିଷୟ ଭାବେ ଋଷି ଭାସ୍କରଚାର୍ଯ୍ୟଙ୍କ ଲିଖିତ ଗଣିତ ଶାସ୍ତ୍ର ‘ଲୀଳାବତୀ’ ବାବଦରେ ପାଠ ପଢ଼ାଯିବ | ଅନୁଷ୍ଠାନ ଏଥିପାଇଁ ୧୫ ଦିନର ପାଠ୍ୟକ୍ରମ ପ୍ରସ୍ତୁତ କରିଛି |

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୭୫୦ ଜଣ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମ ପାଇଁ ପଞ୍ଜିକରଣ କରିଛନ୍ତି। ୨୨ ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି ପାଠ୍ୟକ୍ରମ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ | ଏହି ସମୟ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ, ଔଷଧ ଏବଂ ଉଦ୍ଭିଦ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରାଯିବ | ଏହି ସମସ୍ତ ପାଠ୍ୟକ୍ରମଗୁଡିକୁ ସଂସ୍କୃତରେ ପଢ଼ାଯିବ | ଆଇଆଇଟି-ଇନ୍ଦୋରର ନିର୍ଦ୍ଦେଶକ ପ୍ରଫେସର ନୀଲେଶ କୁମାର ଜୈନ କହିଛନ୍ତି ଯେ ସାରା ବିଶ୍ୱରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭଳି ଟେକ୍ନୋଲୋଜିରେ ସଂସ୍କୃତ ଭାଷା ବ୍ୟବହାର କରାଯାଉଛି |

ଏହି ପାଠ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଥମେ ସଂସ୍କୃତ ଭାଷା ବାବଦରେ ଶିକ୍ଷା ଦିଆଯିବ । ଏହା ଦ୍ୱାରା ସେମାନେ ପାଠ୍ୟକ୍ରମ ସମୟରେ ପ୍ରାଚୀନ ବିଜ୍ଞାନକୁ ସହଜରେ ବୁଝିପାରିବେ | ଏହା ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପରୀକ୍ଷା କରାଯିବ, ଯେଉଁମାନେ ଏହି ପରୀକ୍ଷାରେ ସଫଳ ହେବେ ସେମାନେ ହିଁ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମନୋନୀତ ହେବେ | ଆଉ ଦ୍ଵିତୀୟ ପର୍ଯ୍ୟାୟରେ ସେମାନେ ସଂସ୍କୃତରେ ପ୍ରାଚୀନ ବିଜ୍ଞାନ ସମ୍ବଦ୍ଧିତ ପାଠ ପଢିବେ |

ସମ୍ବନ୍ଧିତ ଖବର