୨୫ଟି ଦେଶରେ ଅନୁଷ୍ଠିତ ହେବ ଆଇଆଇଟି-ଜେଇଇ

ନୂଆଦିଲ୍ଲୀ : ଭାରତର ସବୁଠାରୁ ଶ୍ରେଷ୍ଠ ଇଂଜିନିୟରିଂ କଲେଜ ଆଇଆଇଟିରେ ପଢିବାକୁ ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ ମିଳିବ । ଆଇଆଇଟିରେ ନାମ ଲେଖାପାଇଁ ଉଦ୍ଦିଷ୍ଟ ପ୍ରତିଯୋଗିତାମୂଳକ ପରୀକ୍ଷା ଆଇଆଇଟି-ଜେଇଇ ଏବେ ବିଶ୍ବର ୨୫ଟି ଦେଶରେ ଅନୁଷ୍ଠିତ ହେବ । ଏହି ୨୫ଟି ଦେଶଙ୍କ ମଧ୍ୟରେ ରହିଛନ୍ତି ଆମେରିକା, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ସିଂଗାପୁର, ଚୀନ, ନେପାଳ, ଇଣ୍ଡୋନେସିଆ, ମାଲେସିଆ, ଭିଏତନାମ, ବାହାରିନ,ୟୁଏଇ, କୁଏତ, କାତାର ପ୍ରଭୃତି ଦେଶ ।

ପୂର୍ବରୁ ଭାରତ ସରକାରଙ୍କ ସହଯୋଗରେ ୧୨ଟି ଦେଶରେ ଏହି ପରୀକ୍ଷା କରାଯାଉଥିଲା । କିନ୍ତୁ ଏବେ ପରୀକ୍ଷା ହେବାକୁ ଥିବା ଦେଶ ସଂଖ୍ୟାକୁ ୨୫କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଗତ ବର୍ଷ ମାଲେସିଆର ରାଜଧାନୀ କ୍ବାଲାଲୁମ୍ପୁର ଓ ନାଇଜେରିଆର ରାଜଧାନୀ ଲାଗୋସରେ ଆଇଆଇଟି-ଜେଇଇ ଅନୁଷ୍ଠିତ ହୋଇଥିଲା ।

ଆଇଆଇଟି-ଜେଇଇ ମାଧ୍ୟମରେ ପ୍ରାୟ ୩୯୦୦ ଅଣ୍ଡରଗ୍ରାଜୁଏଟ ଓ ୧୩୦୦ ପୋଷ୍ଟଗ୍ରାଜୁଏଟ ସିଟ ପାଇଁ ଭାରତୀୟ, ପ୍ରବାସୀ ଭାରତୀୟ ଓ ବିଦେଶୀ ଛାତ୍ରଛାତ୍ରୀ ଚୟନ କରାଯାଇଥାଏ ।

କେନ୍ଦ୍ର ଶିକ୍ଷା ବିଭାଗର ସୂଚନା ଅନୁସାରେ ବିଦେଶୀ ଛାତ୍ରଛାତ୍ରୀମାନେ ସରକାରଙ୍କ ଡାଇରେକ୍ଟ ଆଡମିଶନ ଅଫ ଷ୍ଟୁଡେଣ୍ଟସ ଆବ୍ରୋଡ (ଡାସା) ସ୍କିମରେ ଭାରତର ଏନଆଇଟି, ଟ୍ରିପିଲଆଇଟି, ସ୍କୁଲ ଅଫ ପ୍ଲାନିଂ ଏଣ୍ଟ ଆର୍କିଟେକ୍ସରେ ନାମ ଲେଖାଇପାରିବେ । କିନ୍ତୁ ଆଇଆଇଟିକୁ ଏହି ସ୍କିମରେ ଅନ୍ତର୍ଭୁକ୍ତ କରାଯାଇନାହିଁ ।

 

 

ସମ୍ବନ୍ଧିତ ଖବର