ଆଇଆଇଟି କାନପୁରରୁ ବିଦା ହେବେ ୧୩୫ ଛାତ୍ର

କାନପୁର: କାନପୁରସ୍ତିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି( ଆଇଆଇଟି)୧୩୫ ଜଣ ଛାତ୍ରଙ୍କୁ ବାହାର କରିଦେବ। ପରୀକ୍ଷାରେ ଭଲ କରୁ ନ ଥିବା ଏହି ୧୩୫ ଣ ଛାତ୍ରଙ୍କୁ ସେଠାରେ ପଢ଼ିବା ପାଇଁ ସୁଯୋଗ ନ ଦେବାକୁ ବିଶ୍ୱବିଦ୍ୟାଳୟ ସିନେଟ ଗତ ସୋମବାର ଦିନ ନିଷ୍ପତ୍ତି ନେଇଛି। ତେବେ ଏହି ବହିଷ୍କାର ସାମୟିକ ଏବଂ ଏ ନେଇ ପରବର୍ତ୍ତୀ ପଦକ୍ଷେପ ଡିସେମ୍ବର ୩୧ ତାରିଖରେ ହେବାକୁ ଥିବା ସିନେଟ୍‌ ବୈଠକରେ ନିଆଯିବ ବୋଲି ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ କୁହାଯାଇଛି।
ଏ ସମ୍ପର୍କରେ କାନପୁର ଆଇଆଇଟିର ଉପ ନିର୍ଦ୍ଦେଶକ ମନୀନ୍ଦ୍ର ଅଗ୍ରଓ୍ଵଲ କହିଛନ୍ତି ଯେ ୧୩୫ ଜଣ ଛାତ୍ର ପରୀକ୍ଷାରେ ଭଲ କରି ନ ଥିବାରୁ ସେମାନଙ୍କୁ ନିଳମ୍ବିତ କରାଯିବ। ତେବେ ଏହି ନିଳମ୍ବନ ସାମୟିକ। ନିଳମ୍ବିତ ଛାତ୍ରମାନେ ପୁଣି ବିଶ୍ୱବିଦ୍ୟାଳୟରେ ସେମାନଙ୍କ କୋର୍ସ ପଢ଼ିବା ପାଇଁ ଅନୁରୋଧ କରି ପାରିବେ।ତେବେ ପରୀକ୍ଷାରେ ଅତି ଖରାପ କରିଥିବା ଓ ପୂର୍ବ ଇତିହାସ ଖରାପ ଥିବାି ଛାତ୍ରମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବହିଷ୍କାର କରାଯିବ ଓ ଅନ୍ୟମାନଙ୍କୁ ପୁନଃଭର୍ତ୍ତିର ସୁଯୋଗ ଦିଆଯିବ ବୋଲି ଶ୍ରୀ ଅଗ୍ରଓ୍ଵାଲ କହିଛନ୍ତି।ଏଥିପାଇଁ ଛାତ୍ରମାନଙ୍କୁ ଆବେଦନ କରିବାକୁ ଗୋଟିଏ ସପ୍ତାହ ସମୟ ଦିଆଯାଇଛି। ସେମାନଙ୍କ ଆବେଦନପତ୍ର ସିନେଟର ଆଗାମୀ ବୈଠକରେ ଶୁଣାଣି କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।
ଶ୍ରୀ ଅଗ୍ରଓ୍ଵାଲ କହିଛନ୍ତିି ଯେ କେତେକ ସମୟରେ ଭଲ ଟ୍ରାକ୍‌ ରେକର୍ଡ ଥିବା ପିଲା ମଧ୍ୟ ଅସୁସ୍ଥତା ଓ ଅନ୍ୟ କେତେକ କାରଣ ପାଇଁ ପରୀକ୍ଷାରେ ଭଲ କରି ନ ଥାନ୍ତି। ତେଣୁ ସେପରି ଛାତ୍ରମାନଙ୍କୁ ପୁଣିଥରେ ପଢ଼ିବା ପାଇଁ ସିନେଟ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଅଗ୍ରଓ୍ଵାଲ କହିଛନ୍ତି।

ସମ୍ବନ୍ଧିତ ଖବର