ଆଇଆଇଟି ଖଡ଼ଗପୁର ଦ୍ୱାରା ନିର୍ମାଣ ହେଲା ସବୁଠାରୁ ଶସ୍ତା କରୋନା ଟେଷ୍ଟିଂ କିଟ, ମାତ୍ର ୪୦୦ ଟଙ୍କାରେ ପରୀକ୍ଷା କରିହେବ

ନୂଆଦିଲ୍ଲୀ : ଭାରତ କରୋନା ମହାମାରୀ ପରି ଏକ ବଡ଼ ସଂକଟର ସମ୍ମୁଖୀନ ହେଉଥିବାବେଳେ ଦେଶର ବୈଜ୍ଞାନିକ ଓ ଗବେଷକମାନେ ଏହାର ମୁକାବିଲା କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

ଆଇଆଇଟି ଖଡ଼କପୁର ପକ୍ଷରୁ ଏକ ଗବେଷକ ଦଳ ଏକ ଶସ୍ତା କରୋନା ପରୀକ୍ଷା କିଟ୍‌ ର ବିକାଶ କରିଛନ୍ତି । ଏହା ଦ୍ୱାରା ମାତ୍ର ୪୦୦ ଟଙ୍କାରେ କରୋନା ପରୀକ୍ଷା କରାଯାଇପାରିବ ଓ ପରୀକ୍ଷା ରିପୋର୍ଟକୁ ଏକ ମୋବାଇଲ ଆପ ମାଧ୍ୟମରେ ଦେଖିହେବ । କୋଭିରାପ ନାମକ ଏହି ପରୀକ୍ଷା ଯନ୍ତ୍ର ଦ୍ୱାରା ମାତ୍ର ଏକ ଘଣ୍ଟାରେ ରିପୋର୍ଟ ଜଣାପଡ଼ିବ ।

ଏହି ପରୀକ୍ଷା ଯନ୍ତ୍ରର ମୂଲ୍ୟ ମାତ୍ର ୨ ହଜାର ଟଙ୍କା ରହିଛି । କିନ୍ତୁ ଯଦି ଏହାକୁ ଅଧିକ ସଂଖ୍ୟାରେ ଉତ୍ପାଦନ କରାଯିବ ତେବେ ଉତ୍ପାଦନ ଖର୍ଚ୍ଚ କମିବ, ଫଳରେ ଦର ଆହୁରି କମିବ ବୋଲି ଆଇଆଇଟି ଖଡ଼ଗପୁର ମେକାନିକାଲ ଇଂଜିିନିୟରିଂ ବିଭାଗର ପ୍ରଫେସର ସୁମୋନା ଚକ୍ରବର୍ତ୍ତି କହିଛନ୍ତି । ପ୍ରଫେସର ଚକ୍ରବର୍ତ୍ତି ଓ ବାୟୋସାଇନ୍ସ ବିଭାଗର ପ୍ରଫେସର ଅରିନ୍ଦମ ମଣ୍ଡଲଙ୍କ ନେତୃତ୍ୱରେ ଏକ ଗବେଷକ ଦଳ ଏହି ଯନ୍ତ୍ରର ବିକାଶ କରିବାରେ ସଫଳତା ହାସଲ କରିପାରିଛନ୍ତି ।

ଏକ ସରଳ ଉପାୟରେ ଏହି ଯନ୍ତ୍ର ମାଧ୍ୟମରେ କରୋନା ପରୀକ୍ଷା କରାଯାଇପାରିବ, ତେବେ ରିପୋର୍ଟ ବଡ଼ ବଡ଼ ଲାବରୋଟୋରୀରେ ହେଉଥିବା ରିପୋର୍ଟ ସହ ତୁଳନୀୟ ହୋଇପାରିବ । ଏହି ଯନ୍ତ୍ରରେ ଥିବା ପେପର କାଟ୍ରିଜକୁ ବଦଳାଇ ନୂଆ ପରୀକ୍ଷା କରାଯାଇପାରିବ ।

ସମ୍ବନ୍ଧିତ ଖବର