ଆଇଆଇଟିର ଶସ୍ତା କୋଭିଡ୍‌ ପରୀକ୍ଷଣ ପ୍ରକ୍ରିୟାକୁ ସବୁଜ ସଂକେତ

କୋଭିଡ ଟିକାକରଣ ପାଇଁ ୫୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର

ନୂଆଦିଲ୍ଲୀ : ଖଡ଼ଗପୁର ଆଇଆଇଟିର ଗବେଷକମାନଙ୍କ ଦ୍ବାରା ବିକଶିତ ଶସ୍ତା କୋଭିଡ୍‌ ପରୀକ୍ଷଣ ପ୍ରକ୍ରିୟା ଦେଶରେ ଚାଲୁ କରିବାକୁ ଆଇସିଏମ୍‌ଆର ଅନୁମତି ଦେଇଛି। ପ୍ରଫେସର ସୁମନ ଚକ୍ରବର୍ତ୍ତୀ ଓ ଡ. ଅରିନ୍ଦମ ମଣ୍ଡଳଙ୍କ ନେତୃତ୍ବରେ ବିକଶିତ ‘କୋଭିରାପ୍‌’ ନାମକ ଉକ୍ତ ସରଞ୍ଜାମର ବ୍ୟବହାର ଅତି ସୁଲଭ ଓ ସହଜ ହେବା ସହ ଏଥିରେ ଅଭିନବ କରୋନାଭୂତାଣୁର ଉପସ୍ଥିତିକୁ ମାତ୍ର ଘଣ୍ଟାକ ଭିତରେ ଚିହ୍ନଟ କରିହେବ ବୋଲି ଦାବି କରାଯାଇଛି। ଏପରିକି ଏହାଦ୍ବାରା ଅତି ନଗଣ୍ୟ ସଂଖ୍ୟକ ଭୂତାଣୁର ଉପସ୍ଥିତିକୁ ମଧ୍ୟ ଅକ୍ଳେଶରେ ଠଉରେଇ ହେବ ବୋଲି କୁହାଯାଇଛି।

ମାତ୍ର ୧୦ ହଜାର ଟଙ୍କା ମୂଲ୍ୟର ଏହି ଯନ୍ତ୍ର ଦ୍ବାରା ଆର୍‌ଟି-ପିସିଆର୍‌ ପରୀକ୍ଷଣ ପରି ଉଚ୍ଚମାନର ସମ୍ବେଦନଶୀଳତା ଏବଂ ସ୍ବତନ୍ତ୍ରତା ପ୍ରତିପାଦିତ ହୋଇପାରୁଛି। ସୁତରାଂ ଏହା ସାହାଯ୍ୟରେ ବ୍ୟାପକ ଓ ବିକ୍ଷିପ୍ତ ଭାବରେ ନମୁନା ପରୀକ୍ଷଣ କରି ପ୍ରାରମ୍ଭିକ ଅବସ୍ଥାରୁ କୋଭିଡ୍‌ ସଂକ୍ରମଣକୁ ଚିହ୍ନଟ କରିହେବ ବୋଲି ଆଶା କରାଯାଉଛି। ଏହି ନୂତନ କୋଭିଡ୍‌ ପରୀକ୍ଷଣ ପଦ୍ଧତିରେ ଏକ ଭରସାଯୋଗ୍ୟ ନିର୍ଭୁଲ ଆଣବିକ ପ୍ରକ୍ରିୟା ଅନୁସରଣ କରାଯାଉଛି ଯେଉଁଥିରେ ପରୀକ୍ଷଣ ପିଛା ମାତ୍ର ୫୦୦ ଟଙ୍କା ଖର୍ଚ୍ଚହେବ ବୋଲି ଖଡ଼ଗପୁର ଆଇଆଇଟି ନିର୍ଦ୍ଦେଶକ ଭି କେ ତିଵାରି କହିଛନ୍ତି। ‘କୋଭିରାପ୍‌’ ସାହାଯ୍ୟରେ କୋଭିଡ୍‌ ପୀଡ଼ିତଙ୍କ ନମୁନାକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ଏହାର ବ୍ୟବହାର ପାଇଁ ସବୁଜ ସଂକେତ ମିଳିଛି।

କୋଭିଡ ଟିକାକରଣ ପାଇଁ ୫୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର
ନୂଆଦିଲ୍ଲୀ : କୋଭିଡ ଟିକାକରଣ ବାବଦରେ ଭାରତ ସରକାର ୧୩୦ କୋଟି ଲୋକଙ୍କ ପାଇଁ ୫୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଆକଳନ କରିଛନ୍ତି। ପାଖାପାଖି ଜଣେ ବ୍ୟକ୍ତିଙ୍କ ପିଛା ୪୫୦ରୁ ୫୫୦ ଟଙ୍କା ଖର୍ଚ୍ଚ କରିବାକୁ ମୋଦୀ ସରକାର ଆକଳନ କରିଛନ୍ତି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ଅର୍ଥ ଖର୍ଚ୍ଚ କରାଯିବ। ଏଣୁ ସରକାର ବିପୁଳ ଆର୍ଥିକ କ୍ଷତିର ଶିକାର ‌ହୋଇପାରନ୍ତି ବୋଲି କୁହାଯାଉଛି। ଜଣେ ବ୍ୟକ୍ତିଙ୍କ ପିଛା ଦୁଇଟି ଇଞ୍ଜେକ୍‌ସନ (ପ୍ରତି ଇଞ୍ଜେକ୍‌ସନର ଦାମ୍‌ ୧୫୦ ଟଙ୍କା) ଦିଆଯିବାର ବ୍ୟବସ୍ଥା କରାଯାଇଛି। ଜଣେ ବ୍ୟକ୍ତି ପିଛା ବାକି ୧୫୦ରୁ ୨୫୦ ଟଙ୍କା ଭିତ୍ତିଭୂମି ଖର୍ଚ୍ଚ, ଔଷଧ ସଂରକ୍ଷଣ ଏବଂ ପରିବହନ ବାବଦରେ ଖର୍ଚ୍ଚ କରାଯିବ। ପ୍ରତି ଭାରତୀୟଙ୍କ ପାଖରେ କୋଭିଡ୍‌ ଟିକା ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଏଣୁ ସରକାର ଏ ନେଇ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ଏହାରି ମଧ୍ୟରେ ଭାରତ ସରକାର ସ୍ବାସ୍ଥ୍ୟ ବିଭାଗ, ପୁଲିସ ବିଭାଗ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ମୋଟ ୩୦ କୋଟି ବ୍ୟକ୍ତିଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦେବାପାଇଁ ଚିହ୍ନଟ କରିଛନ୍ତି।

ସମ୍ବନ୍ଧିତ ଖବର