ନୂଆଦିଲ୍ଲୀ : ତାଞ୍ଜାନିଆର ଜାଞ୍ଜିବରରେ ଆଇଆଇଟି ମାଡ୍ରାସର କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ମାଡ୍ରାସ ଏବଂ ଜାଞ୍ଜିବର-ତାଞ୍ଜାନିଆର ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । ଏହି ଏମଓୟୁ ସମାରୋହରେ ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜାଞ୍ଜିବରର ରାଷ୍ଟ୍ରପତି ଡକ୍ଟର ହୁସେନ ଅଲି ମିନ୍ୱି ଉପସ୍ଥିତ ଥିଲେ।
ଏ ନେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ଦ୍ୱାରା ଭାରତ ବାହାରେ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ ପ୍ରତିଷ୍ଠା ହେବା ପାଇଁ ଯାଉଛି । ଏହା ଭାରତ ଓ ତାଞ୍ଜାନିଆ ମଧ୍ୟରେ ଥିବା ଲମ୍ବା ସମୟର ବନ୍ଧୁତ୍ୱର ପ୍ରତିଫଳନ । ଆଫ୍ରିକା ଏବଂ ଗ୍ଲୋବାଲ ସାଉଥରେ ଲୋକଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଉପରେ ଭାରତ ଯେଉଁ ପ୍ରାଥମିକତା ଦେଉଅଛି, ତାହାର ଏକ ବାସ୍ତବ ରୂପାୟନ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ତାଞ୍ଜାନିଆର ଭାରତ ହାଇକମିଶନର ଶ୍ରୀ ବିନୟ ଶ୍ରୀକାନ୍ତ ପ୍ରଧାନ, ଆଇଆଇଟି ମାଡ୍ରାସର ଡିନ(ଗ୍ଲୋବାଲ ମ୍ୟାନେମେଣ୍ଟ) ପ୍ରଫେସର ରଘୁନାଥନ ରେଙ୍ଗାସ୍ୱାମୀ, ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ବିଭାଗର କାର୍ଯ୍ୟକାରୀ ପ୍ରମୁଖ ସଚିବ ଖଲିଦ ମସୁଦ୍ ଓ୍ୱାଜିର୍ ଯଥାକ୍ରମେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ମାଡ୍ରାସ ଏବଂ ଜାଞ୍ଜିବର-ତାଞ୍ଜାନିଆର ଶିକ୍ଷା ଓ ଧନ୍ଦାମୂଳକ ତାଲିମ ମନ୍ତ୍ରଣାଳୟ ପକ୍ଷରୁ ଏହି ଏମଓୟୁ ସ୍ୱାକ୍ଷର କରିଥିଲେ।