ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ମାଂସ ଖାଇବା ପାଇଁ ପଶୁଙ୍କୁ ହତ୍ୟା କରିବା ଫଳରେ ଭୂସ୍ଖଳନ ଓ ବାଦଲଫଟା ବର୍ଷା ଘଟୁଛି ବୋଲି ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ମଣ୍ଡିର ନିର୍ଦ୍ଦେଶକ ଲକ୍ଷ୍ମୀଧର ବେହେରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Advertisment

ଏକ ଅଡିଟୋରିୟମରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ‘ନିରୀହ ଜୀବଜନ୍ତୁଙ୍କୁ ହତ୍ୟା କରିବା ସହ ପରିବେଶର ଅବକ୍ଷୟର  ସମ୍ପର୍କ ରହିଛି, ଯାହା ପରେ ପ୍ରତିପାଦିତ ହେବ।’

ଶ୍ରୀ ବେହେରା ଆହୁରି ମଧ୍ୟ କହିଛନ୍ତି ଯେ ମାଂସାହାର ପାଇଁ ପଶୁ ହତ୍ୟା କରିବା ପରିବେଶ ଉପରେ କିଭଳି ପ୍ରଭାବ ପକାଇଥାଏ ତାହା ଲୋକମାନେ ବର୍ତ୍ତମାନ ଦେଖିପାରୁ ନାହାନ୍ତି; କିନ୍ତୁ ସେମାନେ ଖୁବଶୀଘ୍ର ଦେଖିବେ।
ତେବେ ଏହା ପରେ ସେ କହିଛନ୍ତି, ‘ଏହାର ପ୍ରଭାବ ପଡ଼ିସାରିଛି। ଭୂସ୍ଖଳନ, ବାଦଲଫଟା ବର୍ଷା ଯାହା ଆପଣ ବାରମ୍ବାର ଦେଖୁଛନ୍ତି, ଏସବୁ ପଶୁ ପ୍ରତି ନିଷ୍ଠୁରତାର ପ୍ରଭାବ।’

ୟୁଟ୍ୟୁବରେ ଅପଲୋଡ୍‌ ହୋଇଥିବା ଏହି ଭିଡିଓକୁ ଜଣେ ଇଣ୍ଟରନେଟ୍‌ ବ୍ୟବହାରକାରୀ ଏକ୍ସ (ପୂର୍ବରୁ ଟ୍ଵିଟର)ରେ ସେୟାର କରିବା ପରେ ଏହା ଭାଇରାଲ ହୋଇଥିଲା।

ବାଦଲଫଟା ବର୍ଷାକୁ ପଶୁ ନିର୍ଯାତନା ଏବଂ ମାଂସ ସେବନ ସହ ଯୋଡ଼ିବା ପୂର୍ବରୁ ଆଇଆଇଟି ମଣ୍ଡି ନିର୍ଦ୍ଦେଶକ ଛାତ୍ରଛାତ୍ରୀମାନଙ୍କୁ ପଚାରିଥିଲେ ଯେ ‘ଭଲ ମଣିଷ ହେବା ପାଇଁ ସେମାନଙ୍କୁ କ’ଣ କରିବାକୁ ପଡ଼ିବ?‘
‘ଭଲ ମଣିଷ ହେବାକୁ ହେଲେ କ’ଣ କରିବ; କ’ଣ କରିବ ନାହିଁ? ମାଂସ ଖାଇବାକୁ ନା! ହଁ ନା ନା?’ ସେ ତାଙ୍କ ଭାଷଣ ସମୟରେ ଛାତ୍ରଛାତ୍ରୀମାନଙ୍କୁ ପଚାରିଥିଲେ। ସେ ତାଙ୍କ ଅଭିଭାଷଣ ଦେବା ପୂର୍ବରୁ ଛାତ୍ରମାନଙ୍କୁ ‘ମାଂସ ଖାଇବା ନାହିଁ’ ବୋଲି କହିବାକୁ କହିଥିଲେ।

ପର୍ବତଘେରା ରାଜ୍ୟ ହିମାଚଳ ପ୍ରଦେଶରେ ଜୁଲାଇରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ମୌସୁମୀ ସମୟରେ ବାଦଲଫଟା ବର୍ଷା, ଆକସ୍ମିକ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଭୀଷଣ କ୍ଷୟକ୍ଷତି ହୋଇଛି। ଜୁନ୍‌ ୨୪ରେ ମୌସୁମୀ ଆରମ୍ଭ ହେବା ପରଠାରୁ ଏହି ପାହାଡିଆ ରାଜ୍ୟରେ ବର୍ଷା ଜନିତ ଘଟଣାରେ ପ୍ରାୟ ୨୫୦ ଜଣଙ୍କର ମୃତ୍ୟୁ ଘଟିଛି। କେବଳ ରାଜ୍ୟ ପୂର୍ତ୍ତ ବିଭାଗ ୨୯୧୩ କୋଟି ଟଙ୍କାର କ୍ଷତି ସହିଛି।