କୋଲକାତା: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଖଡ଼ଗପୁର କ୍ୟାମ୍ପସରେ ଗତବର୍ଷ ଅକ୍ଟୋବର ୧୪ରେ ହୋଇଥିବା ଛାତ୍ର ମୃତ୍ୟୁ ମାମଲାରେ ନିର୍ଦ୍ଦେଶକ ବୀରେନ୍ଦ୍ର ତିୱାରୀ ଆଜି କୋଲକାତା ହାଇକୋର୍ଟରେ ହାଜର ହୋଇଥିଲେ। ଏହି ଘଟଣାରେ ନିର୍ଦ୍ଦେଶକଙ୍କ ଉଦାସୀନତା ଏବଂ ସମ୍ବେଦନହୀନ ଆଚରଣ ପାଇଁ କୋର୍ଟ କ୍ଷୁବ୍ଧ ହୋଇଥିଲେ ଏବଂ ନିର୍ଦ୍ଦେଶକଙ୍କୁ ପଚାରିଥିଲେ, ତୁମର ସନ୍ତାନ ଅଛନ୍ତି କି? ଏହାର ଉତ୍ତରରେ ସେ କହିଥିଲେ, ହଁ ସାର୍, ମୋର ଦୁଇଟି ପୁଅ ଅଛନ୍ତି।

Advertisment

ଏହାପରେ କୋର୍ଟ କହିଥିଲେ, ମୃତ ଛାତ୍ରର ପିତାମାତା ଏତେ ଗରିବ ଯେ କୋର୍ଟରେ ହାଜର ହେବା ପାଇଁ ସେମାନଙ୍କ ପାଖରେ ଟଙ୍କା ନାହିଁ। କେଉଁଟା ଅଧିକ ଗୁରୁତ୍ୱପୂର୍ଣ୍ଣ? ହାଇକୋର୍ଟରେ ହାଜର ହେବା ନା ଟୋକିଓ ଯିବା? ଶିକ୍ଷାନୁଷ୍ଠାନର ଏକ ଅତି ଗୁରୁତ୍ବପୂର୍ଣ୍ଣ ତଥା ସମ୍ବେଦନଶୀଳ ପ୍ରସଙ୍ଗକୁ ଅଣଦେଖା କରି ନିର୍ଦ୍ଦେଶକ ବିଦେଶ ଗସ୍ତରେ ଯିବାକୁ ନେଇ ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ତଦନ୍ତ ସ୍ଥିତି ଉପରେ ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୬ରେ ହେବ ଏବଂ ଏହା ପୂର୍ବରୁ ସମସ୍ତ ତଥ୍ୟ ଦାଖଲ ହେବା ଆବଶ୍ୟକ ବୋଲି ହାଇକୋର୍ଟ କହିଛନ୍ତି। ଆଇଆଇଟି କର୍ତ୍ତୃପକ୍ଷଙ୍କ ଭୂମିକା ନେଇ ଫେବ୍ରୁଆରି ୧୩ରେ ବିଚାର କରାଯିବ। ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୧୪ରେ ତୃତୀୟ ବର୍ଷର ମେକାନିକାଲ୍ ଇଞ୍ଜିନିୟରିଂ ଛାତ୍ର ଫୈଜାନ୍ ଅହମ୍ମଦଙ୍କ ମୃତଦେହ ହଷ୍ଟେଲ ରୁମ୍‌ରୁ ଉଦ୍ଧାର କରାଯାଇଥିଲା। ପ୍ରଥମେ ଏହାକୁ ଆତ୍ମହତ୍ୟା ବୋଲି କୁହାଯାଇଥିବା ବେଳେ ମୃତ ଛାତ୍ରଙ୍କ ପିତାମାତା ତାଙ୍କ ପୁଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ।