ଆଇଆଇଟି ଦେଶର ଗୌରବ: ରାଷ୍ଟ୍ରପତି

ଆଇଆଇଟି ଦିଲ୍ଲୀର ହୀରକ ଜୟନ୍ତୀ ସମାରୋହ

ନୂଆଦିଲ୍ଲୀ : ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ହେଉଛି ଆମ ଦେଶର ଗୌରବ। ଶନିବାର ଆଇଆଇଟି ଦିଲ୍ଲୀର ହୀରକ ଜୟନ୍ତୀର ଉଦଯାପନ ସମାରୋହରେ ଯୋଗଦେଇ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି।

ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର କ୍ଷମତାକୁ ଆଇଆଇଟିଗୁଡ଼ିକ ବିଶ୍ୱ ସମ୍ମୁଖରେ ପ୍ରମାଣିତ କରି ସାରିଛନ୍ତି। ଆଇଆଇଟିର କାହାଣୀ ସ୍ୱାଧୀନ ଭାରତର କାହାଣୀ। ବିଶ୍ୱ ଦରବାରରେ ଭାରତକୁ ଶିଖରରେ ପହଞ୍ଚାଇବାରେ ଆଇଆଇଟିମାନଙ୍କର ଯୋଗଦାନ ଅତୁଳନୀୟ। ଆଇଆଇଟି ଫ୍ୟାକଲଟି ଏବଂ ଆଲୁମିନାଇ ବିଶ୍ୱକୁ ଆମର ବୌଦ୍ଧିକ କ୍ଷମତା ଦେଖାଇଛନ୍ତି। ଆଇଆଇଟିରେ ଅଧ୍ୟୟନ କରିଥିବା ଅନେକ ଛାତ୍ରଛାତ୍ରୀ ଆଜି ବିଶ୍ୱରେ ଡିଜିଟାଲ ବିପ୍ଳବର ନେତୃତ୍ୱ ନେଉଛନ୍ତି। ଏହାବ୍ୟତୀତ ଆଇଆଇଟିର ପ୍ରଭାବ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରୁ ବହୁତ ଆଗକୁ ଯାଇଛି ଏବଂ ଆଇଆଇଟିର ଛାତ୍ରଛାତ୍ରୀମାନେ ଶିକ୍ଷା, ଶିଳ୍ପ, ଉଦ୍ୟମିତା, ସମାଜ, ସାମ୍ବାଦିକତା, ସାହିତ୍ୟ ଏବଂ ରାଜନୀତି କ୍ଷେତ୍ରରେ ନେତୃତ୍ୱ ନେଉଛନ୍ତି ବୋଲି ସେ କହିଛନ୍ତି।

ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାମହିମ ରାଷ୍ଟ୍ରପତି ମୁର୍ମୁଙ୍କୁ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜଣାଇଛନ୍ତି। ତାଙ୍କ ପ୍ରେରଣାଦାୟୀ କଥା ଆମର ଅମୃତକାଳର ଲକ୍ଷ୍ୟକୁ ହାସଲ କରିବା ଦିଗରେ ଶିକ୍ଷା ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି। ସେହିପରି ୬୦ ବର୍ଷର ଗୌରବମୟ ଯାତ୍ରା ପାଇଁ ଆଇଆଇଟି ଦିଲ୍ଲୀକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ଜାତୀୟ ପ୍ରଗତିକୁ ଆଗକୁ ନେବାରେ ଆଇଆଇଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଷ୍ଟ୍ରପତିଙ୍କ ଦ୍ୱାରା ଆଇଆଇଟି ଦିଲ୍ଲୀଠାରେ ଉଦ୍‌ଘାଟିତ ହୋଇଥିବା ଅନୁସନ୍ଧାନ ଏବଂ ନବସୃଜନ ପାର୍କ ଆଇଆଇଟିରେ ଆର୍‌ ଏଣ୍ଡ୍‌ ଡି ତଥା ଗବେଷଣା ଓ ବିକାଶକୁ ତ୍ୱରାନ୍ୱିତ କରିବ। ଗର୍ବର ବିଷୟ ଯେ ଅନେକ ବିକଶିତ ଦେଶ ଆଇଆଇଟିର ଅଫସୋର କ୍ୟାମ୍ପସ୍ ନିଜ ଦେଶରେ ପ୍ରତିଷ୍ଠା କରିବା ପାଇଁ ଇଚ୍ଛାପ୍ରକାଶ କରିଛନ୍ତି। ଏହା ଆମ ସମ୍ମାନଜନକ ଆଇଆଇଟିଗୁଡ଼ିକର କ୍ଷମତା ଓ ଗୁଣାତ୍ମକ ମାନକୁ ଦର୍ଶାଉଛି।

ଭାରତ ଏବେ ନବସୃଜନ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ବିଶ୍ୱରେ ଭାରତରେ ସର୍ବାଧିକ ଡିଜିଟାଲ କାରବାର ହେଉଥିବା ବେଳେ ସ୍ୱଦେଶୀ ପଦ୍ଧତିରେ ବିକଶିତ କରାଯାଉଥିବା ୫ଜି ଟେକ୍ନୋଲୋଜି ଦେଶର ଡିଜିଟାଲ ବିପ୍ଳବକୁ ତ୍ୱରାନ୍ୱିତ କରିବ। ଆଧୁନିକ ଅର୍ଥନୀତିର ଭାରତ କେନ୍ଦ୍ରବିନ୍ଦୁ। ଶିଳ୍ପ ବିପ୍ଳବ ୪.୦ରେ ଆଇଆଇଟି ଭାରତକୁ ଟେକ୍ନୋଲୋଜିର ପେଣ୍ଠସ୍ଥଳି ଭାବେ ପ୍ରତିଷ୍ଠିତ କରିବା ପାଇଁ ପ୍ରୟାସ କରୁ। ଭବିଷ୍ୟତର ଆହ୍ୱାନକୁ ସମାଧାନ କରିବା ସହ ବିଶ୍ୱର ଦାୟିତ୍ୱ ନେବା ପାଇଁ ଆଇଆଇଟି ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରୁ। ଆମର ଆତ୍ମବିଶ୍ୱାସ ବଢ଼ିଛି, ଆମେ ବିଶ୍ୱର ନେତୃତ୍ୱ ନେବା। ଶିକ୍ଷାନୁଷ୍ଠାନ ଶିଳ୍ପସଂସ୍ଥାକୁ ସଦୃଢ଼ କରିବା ପାଇଁ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ ଓ ନୀତି ନିର୍ଦ୍ଧାରିକଙ୍କୁ ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ପୂରଣ କରି ଭାରତକୁ ବିଶ୍ୱର ୧ ନମ୍ବର ଅର୍ଥନୀତି ଭାବେ ପରିଣତ କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର