କରୋନା ସଂକ୍ରମଣର ପୂର୍ବାନୁମାନ କରିବା ପାଇଁ ମଡେଲ ତିଆରି କଲା ଆଇଆଇଟି

କୋଲକାତା: ଖଡ଼ଗପୁରସ୍ଥିତ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଏକ ମଡେଲ ବିକଶିତ କରିଛି। ଯାହାଦ୍ବାରା ଭବିଷ୍ୟତରେ କୋଭିଡ୍‌-୧୯ ସଂକ୍ରମଣର ପୂର୍ବାନୁମାନ କରିହେବ। ଏହାରି ଆଧାରରେ ସ୍ବାସ୍ଥ୍ୟ ସେବା, ଉଦ୍ୟୋଗ ଏବଂ ଏକାଡେମିକ୍‌ ନିଷ୍ପତ୍ତି ନିଆଯାଇ ପାରିବ। ଆଇଆଇଟି ପକ୍ଷରୁ କୁହାଯାଇଛି, ଆଗାମୀ ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚ‌ାଲିବ। ଆଇଆଇଟିର କମ୍ପ୍ୟୁଟର ବିଜ୍ଞାନ ଓ ଇଞ୍ଜିନିୟରିଂ ବିଭାଗ ପ୍ରଫେସର ଅରଭଜିତ ଦାସ ଏହି ତାର୍କିକ ମଡେଲ୍‌ ତିଆରି କରିଛନ୍ତି। ଏହାଦ୍ବାରା ଦୈନିକ ସଂକ୍ରମଣର ପୂର୍ବାନୁମାନ କରାଯାଇ ପାରିବ। ପ୍ରଫେସର ଦାସ କହିଛନ୍ତି, ମଡେଲରୁ ଜଣାପଡ଼ିଛି ଦେଶରେ ମହାମାରୀ କରୋନା ଚରମ ସୀମାରେ ପହଞ୍ଚିବାକୁ ଡେରି ଅଛି। ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା କରୋନାରୁ ମୁକ୍ତି ମିଳିବ ନାହିଁ।

ଏଭଳି ସୂଚନା ଆମ ପାଇଁ ଶୁଭଦାୟକ ନୁହେଁ। ହେଲେ ବାସ୍ତବିକତାକୁ ସ୍ବୀକାର କରିବାକୁ ହେବ। ଏହି ମହାମାରୀ ସହ ସମ୍ପୃକ୍ତ ସମସ୍ତ ମାମଲାରୁ ରକ୍ଷା ପାଇବା ପାଇଁ ଉଚିତ ପଦକ୍ଷେପ ନେବା ଜରୁରି। ମଡେଲ୍‌ରେ ପୂରା ଦେଶର ପୂର୍ବାନୁମାନ କରାଯାଇ ପାରିବ। ବିଶେଷକରି ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀ, ଗୁଜୁରାଟ, ଉତ୍ତର ପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶ ଭଳି ୮ଟି ରାଜ୍ୟର ପୂର୍ବାନୁମାନ କରିବା ପାଇଁ ଡାଟା ବ୍ୟବହାର କରାଯାଇଛି। ଲକ୍‌ଡାଉନ୍‌ର ବିଭିନ୍ନ ଚରଣରେ ଲୋକଙ୍କ ଯିବାଆସିବା, ଶ୍ରମିକମାନଙ୍କ ପଳାୟନ, ଯାଞ୍ଚ ସୁବିଧାରେ ପରିବର୍ତ୍ତନ ଏବଂ କରୋନା ଭାଇରସ୍‌ର କ୍ରମିକ ବିକାଶ ଉପରେ ସମ୍ଭାବ୍ୟ ସୂଚନା ମିଳିପାରିବ। ଏହା ଯେକୌଣସି ରଣନୀତିକ ମଡେଲ କିମ୍ବା ପୁରୁଣା ପୂର୍ବାନୁମାନ ମଡେଲର ନିୟନ୍ତ୍ରଣ ବାହାରେ। ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ବୀରେନ୍ଦ୍ର କୁମାର ତିୱାରୀ କହିଛନ୍ତି, ଏହା ପ୍ରାଦ୍ୟୋଗିକ ମଡେଲ୍‌। ସାମ୍ପ୍ରତିକ ପରିସ୍ଥିତିରେ ଏହା ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର