କମ୍ପାନି ଭିତରକୁ ଯିବା ପାଇଁ ବାଇକ୍‌କୁ ସାନିଟାଇଜ କରୁଥିବା ବେଳେ ଲାଗିଲା ନିଆଁ, ଆଖି ପିଛୁଳାକେ ହୁ ହୁ ହୋଇ ଜଳିଗଲା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣକୁ ହ୍ରାସ କରିବା ପାଇଁ ପ୍ରଶାସନ ଓ ଡାକ୍ତର ସର୍ବଦା ଜନସାଧାରଣଙ୍କୁ ପରିସ୍କାର ଓ ପରିଚ୍ଛନ୍ନ ରହିବା ସହିତ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି। କେବଳ ଏତିକି ନୁହେଁ, ବାରମ୍ବାର ହାତ ଧୋଇବା ସହିତ ନିତ୍ୟ ବ୍ୟବହୃତ ସାମଗ୍ରୀକୁ ସାନିଟାଇଜ କରିବାକୁ ଲୋକମାନଙ୍କୁ ସଚେତନ କରାଯାଉଛି। ଏଭଳି ପରିସ୍ଥିତିରେ ଗୁଜୁରାଟରେ ଜଣେ ବ୍ୟକ୍ତି ବାଇକ୍‌କୁ ସାନିଟାଇଜ କରୁଥିବା ବେଳେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି।

ଅହମ୍ମଦାବାଦରେ ଏକ ଘରୋଇ କମ୍ପାନିର ଗେଟ୍‌ ପାଖରେ କର୍ମଚାରୀଙ୍କ ଗାଡ଼ିକୁ ସାନିଟାଇଜ କରାଯିବା ପରେ ହିଁ ସେମାନଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯାଉଛି। ଏହି କ୍ରମରେ ଜଣେ କର୍ମଚାରୀ କମ୍ପାନି ଭିତରକୁ ଯିବା ପାଇଁ ଯେତେବେଳେ ନିଜର ଗାଡ଼ିକୁ ସାନିଟାଇଜ କରୁଥିଲେ ହଠାତ ସେଥିରେ ନିଆଁ ଲାଗି ଯାଇଥିଲା। ତେବେ ଗାଡ଼ିରେ ନିଆଁ ଲାଗି ଯାଇଥିଲେ ହେଁ କର୍ମଚାରୀ ଜଣକ ହଠାତ କିଛି ବୁଝି ପାରି ନଥିଲେ। ପରେ ଗାଡ଼ିରୁ ଓହ୍ଲାଇ ଦୌଡ଼ିବାକୁ ଲାଗିଥିଲେ, ଯାହାର ଫଟୋ ଆପଣ ଦେଖି ପାରୁଥିବେ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ସିକ୍ୟୁରିଟି ଗାର୍ଡ ଏହି ନିଆଁକୁ ଲିଭାଇବା ଚେଷ୍ଟା କରିଥିଲେ। କିନ୍ତୁ ନିଆଁକୁ ଆୟତ୍ତକୁ ଆଣି ନ ପାରିବାକୁ ପାଖରେ ଥିବା ନିଆଁ ଲିଭା ଯନ୍ତ୍ରର ସାହାଯ୍ୟ ନେଇଥିଲେ। କିନ୍ତୁ ସେତେବେଳକୁ ବାଇକଟି ହୁ ହୁ ହୋଇ ଜଳି ଯାଇଥିଲା। ସୌଭାଗ୍ୟବଶତଃ ଉକ୍ତ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡଙ୍କୁ ଏହି ଅଗ୍ନିକାଣ୍ଡରେ କୌଣସି ଆଘାତ ପହଞ୍ଚି ନାହିଁ।

ଏହି ଅଗ୍ନିକାଣ୍ଡକୁ ନେଇ ସନ୍ଦେହ କରାଯାଉଛି କି, ଗାଡ଼ି ଚାଲୁ ରହିଥିଲା ବେଳେ ସାନିଟାଇଜ କରାଯାଇଥିଲା। ସାନିଟାଇଜରରେ ଅଲକୋହଲ ମାତ୍ରା ଥିବାରୁ ବାଇକ୍‌ରେ ନିଆଁ ଲାଗି ଯାଇଥିଲା।

ସମ୍ବନ୍ଧିତ ଖବର