ଇସଲାମାବାଦ : ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆଜି ପାକିସ୍ତାନବାସୀଙ୍କୁ ଟେଲିଭିଜନ ମାଧ୍ୟମରେ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ ଇସ୍ତଫା ଦେବାକୁ ତାଙ୍କ ଉପରେ ଦେଶ ମଧ୍ୟରୁ ଓ ଦେଶ ବାହାରୁ ପ୍ରବଳ ଚାପ ପଡ଼ୁଛି । କିନ୍ତୁ ସେ ମୁଣ୍ଡ ନୁଆଁଇବେ ନାହିଁ, ଇସ୍ତଫା ଦେବେ ନାହିଁ । ଶେଷ ବଲ ପର୍ଯ୍ୟନ୍ତ ଖେଳିବେ ।
ଇସ୍ତଫା ଦେବାକୁ ଆମେରିକା ତାଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ସେ ଖୋଲାଖୋଲି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପାଖରୁ ଏକ ଆମେରିକା ଅର୍ଥାତ ବିଦେଶୀ ରାଷ୍ଟ୍ରରୁ ଏକ ନିର୍ଦ୍ଦେଶ ଆସିଛି.. ଯେ ସେ ଗାଦି ଛାଡ଼ି ଦିଅନ୍ତୁ । ଏପରି ନିର୍ଦ୍ଦେଶ ତାଙ୍କ ବିରୋଧରେ ନୁହେଁ, ବରଂ ପାକିସ୍ତାନ ବିରୋଧରେ ଆସିଛି । ସେମାନେ ସିଧାସଳଖ ଧମକ ଦେଇଛନ୍ତି ଯେ ଯଦି ଇମ୍ରାନ ଇସ୍ତଫା ଦିଅନ୍ତି, ତେବେ କ୍ଷମା କରିଦିଆଯିବ । କିନ୍ତୁ ଏପରି ନହେଲେ ପାକିସ୍ତାନକୁ ଭୋଗିବାକୁ ପଡ଼ିବ । ସେମାନେ ପାକିସ୍ତାନକୁ ଏପରି ଭାବେ ଧମକ ଦେଉଛନ୍ତି ଯେପରିକି ଆମେ ତାଙ୍କର ଚାକର, ଗୋଡ଼ାଣିଆ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନର କେତେକ ଲୋକ ବିଦେଶୀ ଶକ୍ତିଙ୍କ ସହ ହାତ ମିଳାଇଛନ୍ତି ।
ସୂଚନାଯୋଗ୍ୟ ଯେ ପାକିସ୍ତାନର ସଂସଦ ନ୍ୟାସନାଲ ଆସେମ୍ବଲିରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ଏହା ଉପରେ ଆସନ୍ତା ୩ ତାରିଖରେ ଭୋଟ ଗ୍ରହଣ ହେବ ।