ଅନୁମତି ନନେଇ ‘ପେସିଏମ୍‌’ ପୋଷ୍ଟ୍‌ରରେ ଅଭିନେତାଙ୍କ ଫଟୋ ବ୍ୟବହାର କରି ଅଡୁଆରେ କର୍ଣ୍ଣାଟକ କଂଗ୍ରେସ

ବେଙ୍ଗାଲୁର: କର୍ଣ୍ଣାଟକ କଂଗ୍ରେସର ‘ପେସିଏମ୍‌’ ଅଭିଯାନ ପୋଷ୍ଟ୍‌ରରେ ନିଜ ଫଟୋ ଦେଖିବା ପରେ ଏହା ବିରୋଧରେ ଅଭିଯୋଗ ଆଣିଛନ୍ତି ଅଭିନେତା ଅଖିଲ ଆୟର୍‌। ସେ ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କ ଫଟୋ ତାଙ୍କର ବିନା ଅନୁମତିରେ ବ୍ୟବହାର କରାଯାଇଛି, ଯାହାକି ବେନିୟମ୍‌।

ମୁଖ୍ୟମନ୍ତ୍ରୀ ବାସବାରାଜ ବୋମାଇଙ୍କ ବିରୋଧରେ ଆରମ୍ଭ କରାଯାଇଥିବା ‘ପେସିଏମ୍‌’ ଅଭିଯାନ ପୋଷ୍ଟ୍‌ରରେ ଅଭିନେତା ଅଖିଲ ଆୟର୍‌ଙ୍କ ଫଟୋ ଦେଖିବାକୁ ମିଳିଛି ଓ ସେହି ପୋଷ୍ଟ୍‌ରକୁ ସାରା ବେଙ୍ଗାଲୁରରେ ଲଗାଯାଇଛି। କଂଗ୍ରେସର ଏପରି ଆଚରଣ ପାଇଁ ଅଭିନେତା ଆୟର୍‌ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଧମକ ବି ଦେଇଛନ୍ତି।

 

ଅଖିଲ ଆୟର୍‌ କଂଗ୍ରେସର ସେହି ପୋଷ୍ଟର୍‌କୁ ଟ୍ବିଟ୍‌ କରି ଲେଖିଛନ୍ତି, ‘ମୋର ବିନା ଅନୁମତିରେ କଂଗ୍ରେସ ତା’ର ‘୪୦% ସରକାରା’ ଅଭିଯାନ ପାଇଁ ମୋ ଫଟୋକୁ ବେନିୟମ ଭାବେ ବ୍ୟବହାର କରିଛି। ମୁଁ ଏହା ବିରୋଧ‌ରେ ଆଇନ୍‌ ଅନୁଯାୟୀ କ‌ାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।’ ଏହି ପୋଷ୍ଟ୍‌ରରେ ସେ ରାହୁଲ ଗାନ୍ଧୀ, ସିଦ୍ଧରମୟା ଏବଂ କର୍ଣ୍ଣାଟକ କଂଗ୍ରେସକୁ ଟ୍ୟାଗ୍‌ କରି ଘଟଣାକୁ ତଦାରଖ କରିବାକୁ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକରେ କିପରି ସରକାରୀ ଚାକିରି ପାଇବା ପାଇଁ ୪୦ ପ୍ରତିଶତ କମିସନ୍ ନିଆଯାଉଛି ସେ ବିଷୟକୁ ନେଇ ପୋଷ୍ଟର୍‌ ତିଆରି ହୋଇଛି। ପୋଷ୍ଟ୍‌ରରେ ‘୪୦% ସରକାରା’ ମାନେ ବିଜେପି ଭ୍ରଷ୍ଟାଚାର ବୋଲି ମଧ୍ୟ ଲେଖାଯାଇଛି। ଏହା ସହ ‘୪୦% ସରକାରା’ ୫୪ ହଜାରରୁ ଅଧିକ ଯୁବକଙ୍କ କ୍ୟାରିୟରକୁ ନ‌ଷ୍ଟ କରିଛି ବୋଲି ମଧ୍ୟ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର