ବେଆଇନ ବାର୍‌ ବିବାଦ: କଂଗ୍ରେସ ନେତାଙ୍କୁ ହାଇକୋର୍ଟଙ୍କ ସମନ

ସ୍ମୃତିଙ୍କ ଝିଅ ବିରୋଧରେ ସବୁ ପୋଷ୍ଟ୍‌ ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଆଜି କଂଗ୍ରେସ ନେତା ଜୟରାମ ରମେଶ, ପୱନ ଖେରା ଏବଂ ଏନ୍‌ ଡିସୁଜାଙ୍କୁ ସମନ୍‌ ଜାରି କରିଛନ୍ତି। ଗୋଆ ବେଆଇନ ବାର୍‌ ବିବାଦ ମାମଲାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଦ୍ବାରା ଦାଖଲ ହୋଇଥିବା ମାନହାନି ମାମଲା ପାଇଁ ଉପରୋକ୍ତ ୩ ନେତାଙ୍କୁ ସମନ୍‌ କରାଯାଇଛି। ସ୍ମୃତିଙ୍କ ୧୮ ବର୍ଷୀୟା ଝିଅ ବିରୋଧରେ କଂଗ୍ରେସ ଆଣିଥିବା ‘ଭିତ୍ତିହୀନ ଅଭିଯୋଗ’ ପାଇଁ ସ୍ମୃତି ୨ କୋଟି ଟଙ୍କାର ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ନେତାମାନେ ସ୍ମୃତିଙ୍କ ଝିଅଙ୍କ ବିରୋଧରେ ସୋସିଆଲ ମିଡିଆରେ ଯେଉଁ ଟ୍ବିଟ୍‌, ରିଟ୍ବିଟ୍‌, ପୋଷ୍ଟ, ଭିଡିଓ ଏବଂ ଫଟୋ ପୋଷ୍ଟ୍‌ କରିଛନ୍ତି ସେସବୁ ହଟାଇବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ଯଦି କଂଗ୍ରେସ ନେତାମାନେ ୨୪ ଘଣ୍ଟା ମଧ୍ୟରେ ଏହି ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହେବେ ତେବେ ଟ୍ବିଟର, ଫେସବୁକ ଏବଂ ୟୁଟୁବ ଏହି ପୋଷ୍ଟ୍‌ ହଟାଇଦେବେ। ମାମଲାର ଶୁଣାଣି କରୁଥିବା ଜଷ୍ଟିସ ମିନି ପୁଷ୍କର୍ଣ୍ଣ କହିଛନ୍ତି, ତଥ୍ୟ ଯାଞ୍ଚ ନକରି ଯେଉଁ ଟ୍ବିଟ୍‌ କରାଯାଇଛି ତାହା ଦ୍ବାରା ଆବେଦନକାରୀଙ୍କ ସମ୍ମାନ ଅତି ଗଭୀର ଭାବେ କ୍ଷୁଣ୍ଣ ହୋଇଛି। ଆସନ୍ତା ଅଗଷ୍ଟ ୧୮ରେ କଂଗ୍ରେସ ନେତାମାନଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ଏକ ବେଆଇନ ବାର୍‌ ଚଳାଉଥିବା ନେଇ କଂଗ୍ରେସ ନେତାମାନେ ଅଭିଯୋଗ କରିଥିଲେ। ଏହି ମାମଲାରେ ସ୍ମୃତି ଇରାନୀ ଗତ ସପ୍ତାହରେ ଉକ୍ତ ୩ କଂଗ୍ରେସ ନେତାଙ୍କୁ ଲିଗାଲ୍‌ ନୋଟିସ ପଠାଇଥିଲେ। ସ୍ମୃତି ଉକ୍ତ ମାମଲାରେ ଲିଖିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରିଥିଲେ ଏବଂ ତାଙ୍କ ଝିଅଙ୍କ ବି‌ରୋଧରେ ଯେଉଁ ଅଭିଯୋଗ ହୋଇଛି ତାହାକୁ ହଟାଇବାପାଇଁ କହିଥିଲେ।

ସମ୍ବନ୍ଧିତ ଖବର