ଭଙ୍ଗାଗଲା ନର୍ସରୀ ଛାତ୍ରୀକୁ ସ୍କୁଲ୍‌ ବସ୍‌ ଭିତରେ ଦୁଷ୍କର୍ମ କରିଥିବା ବସ୍‌ ଡ୍ରାଇଭର୍‌ର ବେଆଇନ ଘର

ଭୋପାଳ: ଏକ ବେସରକାରୀ ସ୍କୁଲ୍‌ର ସାଢ଼େ ୩ ବର୍ଷର ନର୍ସରୀ ଛାତ୍ରୀକୁ ସ୍କୁଲ୍‌ ବସ୍‌ ଭିତରେ ଦୁଷ୍କର୍ମ କରିଥିବା ଦୁଷ୍କର୍ମ ଅଭିଯୁକ୍ତ ବସ୍‌ ଡ୍ରାଇଭର୍‌ର ଶାହାପୁରରେ ଥିବା ବେଆଇନ୍‌ ଘରକୁ ଭାଙ୍ଗି ଦିଆଯାଇଛି। ଭୋପାଳ ପ୍ରଶାସନ ପକ୍ଷରୁ ଏହି ଘର ଭଙ୍ଗା କାର୍ଯ୍ୟ ହୋଇଥିବା ସୂଚନା ରହିଛି। ଅଭିଯୁକ୍ତ ଡ୍ରାଇଭର ଜଣକ ଶାହାପୁରର ବସନ୍ତ କୁଞ୍ଜ କଲୋନୀ ନିକଟସ୍ଥ ଉଦ୍ୟାନ ଅଞ୍ଚଳରେ ବେଆଇନ୍‌ ଘର କରିିଥିଲେ ବୋଲି ଅଭିଯୋଗ ହୋଇଛି। ତାଙ୍କର ଏହି ବେଆଇନ୍‌ ଘରକୁ ଭାଙ୍ଗିବା ପାଇଁ ରାଜସ୍ବ କର୍ମଚାରୀ, ପୁଲିସ୍‌ ଓ ମୁନିସିପାଲିଟି କର୍ପୋରେସନ ପକ୍ଷରୁ ମିଳିତ ନିଷ୍ପତ୍ତି ହୋଇଥିଲା।

ତେବେ ସ୍କୁଲ୍‌ ବସ୍‌ରେ ଏପରି ଏକ ଲଜ୍ଜାକର ଘଟଣା ଘଟିବା ପରେ କୁନି କୁନି ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଲେକ୍ଟର ଅବିନାଶ ଲାଭାନିଆ ବସ୍‌ରେ ମହିଳା କର୍ମଚାରୀଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବସ୍‌ ମଧ୍ୟରେ ସିସିଟିଭି ଫୁଟେଜ୍‌ ବାଧ୍ୟତାମୂଳକ କରାଯାଇଛି। ସେ ଆହୁରି ବି କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦାୟିତ୍ବ ସ୍କୁଲ୍‌ ପରିଚାଳନାର। ଯଦି ଏପରି କିଛି ଘଟଣା ପୁନର୍ବାର ଘଟେ ତେବେ ଏଥିପାଇଁ ସ୍କୁଲ୍‌ କର୍ତ୍ତୃପକ୍ଷ ହିଁ ଦାୟୀ ରହିବେ।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଜଣେ ନର୍ସରୀ ଛାତ୍ରୀଙ୍କୁ ସ୍କୁଲ୍‌ ବସ୍‌ର ଡ୍ରାଇଭର୍‌ ମହିଳା ହେଲ୍‌ପରଙ୍କ ସମ୍ମୁଖରେ ଦୁଷ୍କର୍ମ କରିଥିଲା। ମହିଳା ହେଲ୍‌ପର ଜଣକ ଘଟଣାସ୍ଥଳରେ ଚୁପ୍‌ ରହିଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ସେହି ଘଟଣାକୁ ଲୁଚାଇବାରୁ ଉଦ୍ୟମ କରିଥିଲେ। ପୀଡ଼ିତା ନାବାଳିକାଙ୍କ ମାଆ ନିଜ ଝିଅର ଶରୀରରେ କ୍ଷତ ଚିହ୍ନ ଦେଇ ସନ୍ଦେହ କରି ଘଟଣାର ଖୋଳତାଢ଼ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର