ଓଡ଼ିଶାର ବେଆଇନ ଖଣି ଖନନ କାରବାର ମାମଲା : କ୍ଷମତାସମ୍ପନ୍ନ କମିଟି ରିପୋର୍ଟ ଉପରେ ଜାନୁଆରି ୨୭ରେ ଶୁଣାଣି

ନୂଆଦିଲ୍ଲୀ : ଓଡ଼ିଶାରେ ବେଆଇନ ଖଣି ଖନନ କାରବାରକୁ ନେଇ ତଦନ୍ତ କରୁଥିବା ସୁପ୍ରିମକୋର୍ଟର ଦୁଇଜଣିଆ ଅବସରପ୍ରାପ୍ତ ବିଚାରପତିଙ୍କ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଦ୍ବାରା ପ୍ରଦାନ କରାଯାଇଥିବା ରିପୋର୍ଟକୁ ଆଜି ସୁପ୍ରିମକୋର୍ଟ ରେକର୍ଡରେ ନେଇଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଦୀପକ ଗୁପ୍ତା ଓ ବିଚାରପତି ଅନିରୁଦ୍ଧ ବୋଷ୍‌ଙ୍କ ଖଣ୍ଡପୀଠ ରିପୋର୍ଟର ନକଲ ସମସ୍ତ ପକ୍ଷଙ୍କୁ ପ୍ରଦାନ କରିବା ପାଇଁ କୋର୍ଟ ରେଜିଷ୍ଟ୍ରାର୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୨୭ରେ ହେବ ବୋଲି ଧାର୍ଯ୍ୟ କରାଯାଇଛି। ଏହାପରେ ଦୁଇଜଣିଆ କମିଟିଙ୍କ ରିପୋର୍ଟ ଉପରେ ଶୁଣାଣି କରି ଖଣ୍ଡପୀଠ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ।

ଉଲ୍ଲେଖ ଯୋଗ୍ୟ, ୨୦୧୬ ମସିହା ନଭେମ୍ବର ୨୨ରେ ସୁପ୍ରିମକୋର୍ଟ ରୁଲ୍ ୩୭ର ଉଲ୍ଲଂଘନ ସହିତ ଏମ୍‌ଏମ୍‌ଡିଆର ଆଇନର ସେକ୍ସନ ୬ (ଖ)ର ଉଲ୍ଲଂଘନ ସମ୍ବନ୍ଧରେ ଅନୁଧ୍ୟାନ କରି ରିପୋର୍ଟ ଦେବା ପାଇଁ ସୁପ୍ରିମକୋର୍ଟର ଦୁଇ ଅବସରପ୍ରାପ୍ତ ବିଚାରପତି ଜି ଏସ ସିଂଘଭି ଓ ବିଚାରପତି ଏ ଆର ଦାଭେଙ୍କୁ ନେଇ କମିଟି ଗଠନ କରିଥିଲେ। କମିଟି ଦ୍ବାରା ମାମଲାରେ ଅନ୍ତର୍ଭୁକ୍ତ ଥିବା ସମସ୍ତ ପକ୍ଷଙ୍କର ବିସ୍ତୃତ ଶୁଣାଣି କରାଯାଇ ୧୧ ଭଲ୍ୟୁମର ଚୂଡ଼ାନ୍ତ ରିପୋର୍ଟ ଗତ ସୋମବାର ଦିନ କୋର୍ଟରେ ଦାଖଲ କରାଯାଇଥିଲା।

ସମ୍ବନ୍ଧିତ ଖବର