ନାଟକୀୟ ମୋଡ଼ ନେଲା ବେଆଇନ ଖଣି ମାମଲା : ଖଣି ଲିଜଧାରୀଙ୍କୁ କ୍ଲିନ୍ଚିଟ୍, ରିପୋର୍ଟ ଦେଲେ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ କମିଟି
ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଖଣି ଦୁର୍ନୀତି ମାମଲା ନାଟକୀୟ େମାଡ଼ ନେଇଛି। େବଆଇନ ଖଣି ଖନନ ଅଭିଯୋଗର ସାମ୍ନା କରିଥିବା ରାଜ୍ୟର କିଛି ପ୍ରମୁଖ ଲୁହା ପଥର ଓ ମାଙ୍ଗାନିଜ୍ ଖଣି ଲିଜ୍ ଧାରୀଙ୍କୁ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ କରାଯାଇଥିବା ଏକ କମିଟି ଦୋଷମୁକ୍ତ ଘୋଷଣା କରିଛନ୍ତି। ଦୁଇ ଜଣ ଅବସରପ୍ରାପ୍ତ ବିଚାରପତି ଅନିଲ ଆର ଡାଭେ ଓ ଜି ଏସ ସାଂଘଭିଙ୍କୁ ନେଇ ଗଠିତ କମିଟିଙ୍କ ରିେପାର୍ଟରେ ମିନେରାଲ କନସେସନ ନିୟମ ୧୯୬୦ର ରୁଲ ୩୭ ଓ ଏମଏମଡିଆର ଆଇନର ସେକ୍ସନ ୬କୁ ଅଭିଯୁକ୍ତ ଖଣି ଲିଜଧାରୀମାନେ କେଉଁଠାରେ ବି ଉଲ୍ଲଂଘନ କରିନଥିବା ସ୍ପଷ୍ଟ ଭାବେ କୁହାଯାଇଛି। ଅର୍ଥାତ୍ ଅନ୍ୟ ସଂସ୍ଥାକୁ ନିୟନ୍ତ୍ରଣ ହସ୍ତାନ୍ତର କରିବା ଓ ଅନୁମତି ମିଳିଥିବା ଅଞ୍ଚଳ ଠାରୁ ଅଧିକ ସ୍ଥାନରେ ଖଣି ଖନନ କରିବା ଭଳି ସଙ୍ଗିନ ଅଭିଯୋଗ େକ୍ଷତ୍ରରେ ଏସବୁ ସଂସ୍ଥା କ୍ଲିନଚିଟ୍ ପାଇଛନ୍ତି। ରାଜ୍ୟର ପ୍ରାୟ ୧୫ରୁ ଅଧିକ ଖଣି ଲିଜଧାରୀଙ୍କ ବିରୋଧରେ ଏଭଳି ସଙ୍ଗିନ୍ ଅଭିଯୋଗ ଆସିଥିଲା।
ସମସ୍ତ ତଥ୍ୟ ଓ ନ୍ୟାୟିକ ସ୍ଥିତିକୁ ଅନୁଧ୍ୟାନ କରି କମିଟି କହିଛନ୍ତି ଯେ େମସର୍ସ ରୁଙ୍ଗଟା ମାଇନ୍ସ ଲିମିଟେ଼ଡ୍, ରୁଙ୍ଗଟା ସନ୍ସ ପ୍ରାଇଭେଟ୍ ଲିମିଟେଡ୍, ମେସର୍ସ ମାଙ୍ଗିଲାଲ ରୁଙ୍ଗଟା, ବଣେଇ ଇଣ୍ଡଷ୍ଟ୍ରିଆଲ କମ୍ପାନି, ଫିଗ୍ରେଡ୍ ଆଣ୍ଡ କମ୍ପାନି ପ୍ରାଇଭେଟ୍ ଲିମିଟେଡ୍ ଏବଂ େମସର୍ସ ଏସେଲ୍ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏମଏମଡିଆର ଆଇନର ସେକ୍ସନ ୬ ଅନ୍ତର୍ଗତ ନିୟମ ଉଲ୍ଲଂଘନ କରିନାହାନ୍ତି। ସେହିଭଳି ରୁଲ ୩୭ର ଉଲ୍ଲଂଘନ ନେଇ କେ ଜେ ଏସ ଆହ୍ଲୁଵାଲିଆ, କବିତା ଅଗ୍ରଵାଲ ମେସର୍ସ ମିଡଇଷ୍ଟ ଇଣ୍ଟିଗ୍ରେଟେଡ୍ ଷ୍ଟିଲସ୍ ଲିମିଟେଡ୍, ଇନ୍ଦ୍ରାଣୀ ପଟ୍ଟନାୟକ, େମସର୍ସ ସିରାଜୁଦ୍ଦିନ ଆଣ୍ଡ କମ୍ପାନି, ଆର ପି ସାଓ, ସାରଦା ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍, ମାଲା ରାୟ, ଆରିୟନ ମାଇନିଂ ଆଣ୍ଡ ଟ୍ରେଡିଙ୍ଗ୍ କର୍ପୋରେସନ ପ୍ରାଇଭେଟ୍ ଲିମିଟେଡଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ କମିଟି ଶୁଣାଣି କରିଥିଲେ। କମିଟି ଦ୍ବାରା ୪ ଜଣ ଲିଜଧାରୀ କେ ଜେ ଏସ ଆହ୍ଲୁଵାଲିଆ, ଇନ୍ଦ୍ରାଣୀ ପଟ୍ଟନାୟକ, େମସର୍ସ ସିରାଜୁଦ୍ଦିନ ଆଣ୍ଡ କମ୍ପାନି, ଆର ପି ସାଓଙ୍କୁ କ୍ଲିନଚିଟ୍ ମିଳିଥିବାର ଜଣାପଡ଼ିଛି। ସେମାନଙ୍କ ଦ୍ବାରା ରୁଲ ୩୭ ଉଲ୍ଲଂଘନ ହୋଇନଥିବାର କମିଟି ସ୍ପଷ୍ଟ କରିଛି। ଅନ୍ୟ ଲିଜଧାରୀ ମାନଙ୍କ ସମ୍ପର୍କରେ ସୂଚନା ହାସଲ ହୋଇପାରିନାହିଁ।
ଆର୍ ପି ସାଓ, ଇନ୍ଦ୍ରାଣୀ ପଟ୍ଟନାୟକ, ସିରାଜୁଦ୍ଦିନ ଓ କେଜେଏସ୍ ଆଲୁୱାଲିଆକୁ ଦିଆଯାଇଥିବା ଖଣି ଲିଜ୍କୁ ବେଆଇନ ଭାବେ ତ୍ରିବେଣୀ ଆର୍ଥ ମୁଭର୍ସ ଅକ୍ତିଆର କରିଥିଲା ବୋଲି ଅଭିଯୋଗ ଆସିଥିଲା। ଏହି ଅଭିଯୋଗର ତଦନ୍ତ କରି କମିଟି ଜଣାଇଛନ୍ତି ଯେ, ଲିଜ୍ ଅଧିକାରକୁ ତ୍ରିବେଣୀ ହାତେଇନଥିଲା। ଖଣି କାର୍ଯ୍ୟ କରିବା ଲାଗି କଂପାନିକୁ ଏହି ତିନି ଲିଜଧାରୀ ଭଡ଼ା ସୂତ୍ରରେ ଲଗାଇଥିଲେ। ଖଣିଜ ରିହାତି ନିୟମର ଧାରା ୩୭ କହୁଛି, ସରକାରଙ୍କ ବିନା ଅନୁମତିରେ କୌଣସି ଲିଜ୍ଧାରୀ ନିଜର ଖଣି ଲିଜ୍ ନିୟନ୍ତ୍ରଣକୁ ଅନ୍ୟକୁ ହସ୍ତାନ୍ତର କରିପାରିବେ ନାହିଁ। ସାତଟି ଖଣି ଏହି ନିୟମର ଉଲ୍ଲଂଘନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାରକୁ ରିହାତି ଦାମ୍ରେ ଖଣିଜ ପଦାର୍ଥ ଯୋଗାଇ ଦେଇଥିବା ନେଇ ଶାରଦା ମାଇନ୍ସ ବିରୋଧରେ ଯେଉଁ ଅଭିଯୋଗ ଆସିଥିଲା ତାହା ମଧ୍ୟ ଭୁଲ ବୋଲି କମିଟି ଜାଣିବାକୁ ପାଇଛି।
ପୂର୍ବରୁ ବିଚାରପତି ଏମ୍ ବି ଶାହ ବେଆଇନ ଖଣି ଖନନ ନେଇ ରିପୋର୍ଟ ଦେଇଥିଲେ। ଲିଜଧାରୀ ଓ ବାହ୍ୟ ଅପରେଟରଙ୍କ ଭିତରେ ଶତାଂଶ (ପରସେଣ୍ଟ୍) ବୁଝାମଣା ଥିଲା ବୋଲି ଶାହ କମିଟି ତାଙ୍କ ରିପୋର୍ଟରେ ସିଧା ସିଧା କହିଥିଲେ। ପରେ ଓଡ଼ିଶାରେ ଖଣି ଦୁର୍ନୀତିକୁ ନେଇ ୨୦୧୭ ଅଗଷ୍ଟ ୨ରେ ସୁପ୍ରିମକୋର୍ଟ ଏକ ରାୟ ଶୁଣାଇଥିଲେ। ଏଥିରେ ଖଣି ଦୁର୍ନୀତିରେ ସଂପୃକ୍ତ ଖଣି ମାଲିକମାନଙ୍କ ଠାରୁ ଶତ ପ୍ରତିଶତ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯେଉଁ ଖଣି ମାଲିକ ମାନେ ଆବଶ୍ୟକତା ଠାରୁ ଅଧିକ ଲୁହାପଥର ଓ ମାଙ୍ଗାନିଜ୍ ଉତ୍ତୋଳନ କରିଥିଲେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ ବୋଲି େକାର୍ଟ ରାୟରେ କହିଥିଲେ। ରାୟରେ ରୁଲ ୩୭ ର ଉଲ୍ଲଂଘନ ସହିତ ଏମଏମଡିଆର ଆଇନ ର ସେକ୍ସନ ୬ ର ଉଲ୍ଲଂଘନ ସମ୍ବନ୍ଧରେ ଅନୁଧ୍ୟାନ କରିବା ପାଇଁ ଏକ କମିଟି ଗଠନ ସକାଶେ ନିର୍ଦ୍ଦେଶ ଦିଆଯାଇଥିଲା।
୨୨ ନଭେମ୍ବର ୨୦୧୭ରେ ସୁପ୍ରିମକୋର୍ଟ ରୁଲ ୩୭ ର ଉଲ୍ଲଂଘନ ସହିତ ଏମଏମଡିଆର ଆଇନ ର ସେକ୍ସନ ୬ ର ଉଲ୍ଲଂଘନ ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବା ପାଇଁ ସୁପ୍ରିମକୋର୍ଟର ଦୁଇଜଣ ଅବସରପ୍ରାପ୍ତ ବିଚାରପତି ଜି ଏସ ସିଂଘଭି ଓ ବିଚାରପତି ଏ ଆର ଡାଭେଙ୍କୁ ନିଯୁକ୍ତି କରିଥିଲେ। ଏହି କମିଟି ୨୦୧୮ ଫେବ୍ରୁଆରି ୧୯ରୁ ସେହିବର୍ଷ ଜୁଲାଇ ୩ ପର୍ଯ୍ୟନ୍ତ ଶୁଣାଣି କରିଥିଲେ। ଖଣି ଲିଜଧାରୀ ଓ ଠିକାଦାର ମଧ୍ୟରେ ଚୁକ୍ତି ମୁତାବକ ଖଣି ଖନନ ହୋଇଛି କି ନାହିଁ, ଲିଜଧାରୀମାନେ ସରକାରଙ୍କ ବିନା ଅନୁମତିରେ ଅନ୍ୟମାନଙ୍କୁ ସବଲିଜ ଦେଇଛନ୍ତି କି ନାହିଁ, ନିର୍ଦ୍ଧାରିତ ଅଞ୍ଚଳଠାରୁ ଅଧିକ ସ୍ଥାନରେ ଖନନ କରାଯାଇଛି କି ନାହିଁ ଭଳି ପ୍ରସଙ୍ଗରେ ଅନୁଧ୍ୟାନ କରିଥିଲେ ଏହି କମିଟି। ଖଣି ଲିଜଧାରୀ ମାନଙ୍କ ପାଖରୁ ସେମାନଙ୍କ ପକ୍ଷ ସମ୍ପର୍କରେ ଅବଗତ ହୋଇଥିଲେ।
ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ବିଚାରପତି ଦୀପକ ଗୁପ୍ତା ଓ ବିଚାରପତି ଅନିରୁଦ୍ଧ ବୋଷଙ୍କ ଦ୍ବାରା ଗଠିତ ଖଣ୍ଡପୀଠଙ୍କ ରିପୋର୍ଟର ନକଲ ସମସ୍ତ ପକ୍ଷଙ୍କୁ ୩ ସପ୍ତାହ ମଧ୍ୟରେ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇ ଆସନ୍ତା ବର୍ଷ ଜାନୁଆରି ୨୭ରେ ମାମଲା ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରି ସାରିଛନ୍ତି। ଦୁଇଜଣିଆ କମିଟିର ଏହି ରିପୋର୍ଟ ଅନୁସାରେ ଖଣ୍ଡପୀଠ ପରବର୍ତ୍ତୀ ପଦକ୍ଷେପ ନେବେ। ଓଡ଼ିଶାରେ ଖଣି ଦୁର୍ନୀତି ନେଇ କମନକଜ୍ ନାମକ ସଂସ୍ଥା ଦ୍ବାରା ୨୦୧୪ରେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା।