ଭୁବନେଶ୍ୱର : ଖଣିମାଲିକଙ୍କ ଠାରୁ ସୁଧ ସମେତ ଜୋରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ବକେୟା ଜରିମାନା ଆଦାୟ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ଯେକୌଣସି ମତେ ଜରିମାନା ରାଶି ଆଦାୟ କରାଯିବ ବୋଲି ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ଇସ୍ପାତ ଓ ଖଣି ସଚିବ ଆର.କେ. ଶର୍ମା କହିଛନ୍ତି ଯେ ସରକାର ଏପର୍ଯ୍ୟନ୍ତ ପ୍ରାୟ ୧୦,୯୦୦ କୋଟି ଟଙ୍କା ଜରିମାନା ରାଶି ଆକାରରେ ଆଦାୟ କରିସାରିଛନ୍ତି । ଅବଶିଷ୍ଟ ରାଶି ୧୨% ସୁଧ ସମେତ ଆଦାୟ କରାଯିବ । ଏଥିପାଇଁ ରାଜ୍ୟ ସରକାର ସବୁ ପ୍ରକାରର ଉଦ୍ୟମ କରିବେ । ଯେଉଁ ଖଣି ଗୁଡ଼ିକ ବନ୍ଦ ଅଛି ସେଗୁଡ଼ିକର ଲିଜଧାରୀଙ୍କଠାରୁ ମଧ୍ୟ ବକେୟା ରାଶି ଆଦାୟ କରାଯିବ । ଖଣି ମାଲିକ ବକେୟା ରାଶି ଦେବାକୁ ଅକ୍ଷମତା ପ୍ରକାଶ କଲେ ଆବଶ୍ୟକ ପଡ଼ିଲେ ସେମାନଙ୍କ ବ୍ୟକ୍ତିଗତ ସମ୍ପତ୍ତି ଜବତ କରିବାକୁ ସରକାର ପଛେଇବେ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।
“ ଖଣି ବନ୍ଦ ଅଛି ଭାବି ଖଣିମାଲିକମାନେ ଏହି ଧାରଣାରେ ନ ରୁହନ୍ତୁ ଯେ ସେମାନଙ୍କ ଜରିମାନା କଥା ସରକାର ଭୁଲିଯିବେ । କିନ୍ତୁ ସେମାନେ ମନେ ରଖିବା ଉଚିତ ଯେ ସରକାର କୌଣସି କଥା ଭୁଲନ୍ତି ନାହିଁ, ଅର୍ଥାତ୍ ଯେ କୌଣସି ମତେ ଜରିମାନା ଆଦାୟ କରାଯିବ ।” ଶ୍ରୀ ଶର୍ମା କହିଛନ୍ତି ।
ଗତ ବର୍ଷ ଅକ୍ଟୋବର ୨ ତାରିଖରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ବେଆଇନ ଖଣି ଖନନ କରିଥିବା ଓଡ଼ିଶାର ୧୩୧ ଲୁହା ଓ ମାଙ୍ଗାନିଜ୍ ଖଣିମାଲିକଙ୍କଠାରୁ ପ୍ରାୟ ୧୭,୫୭୬ କୋଟି ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଏହି ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଡିସେମ୍ବର ୩୧ ସୁଦ୍ଧା ଜରିମାନା ଦାଖଲ ଲାଗି ନୋଟିସ ଜାରି କରିଥିଲେ । ଏହି ଶେଷତାରିଖ ମଧ୍ୟରେ ଜରିମାନା ଦେଇନଥିବା ଖଣି ଗୁଡ଼ିକୁ ରାଜ୍ୟ ସରକାର ବନ୍ଦ କରିଦେଇଛନ୍ତି । ଅନ୍ୟପକ୍ଷରେ ଖଣିମାଲିକମାନଙ୍କ ପକ୍ଷରୁ ଦାଏର ହୋଇଥିବା ଏକ ପୁନର୍ବିଚାର ପିଟିସନକୁ ସୁପ୍ରିମକୋର୍ଟ ଗତ ୩୦ ତାରିଖରେ ରଦ୍ଦ କରିଦେବା ସହ ଖଣି ମାଲିକଙ୍କଠାରୁ ସୁଧ ସହିତ ବକେୟା ଜରିମାନା ରାଶି ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ ।