ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଏକ ବୟାନରେ କିହିଥିଲେ ଯେ  ପାକିସ୍ତାନ  ବିଭିନ୍ନ ସମୟରେ ଗୁପ୍ତରେ  ପରମାଣୁ ପରୀକ୍ଷା କରୁଛି। ଟ୍ରମ୍ପଙ୍କ ଏହି ଦାବିକୁ ଭାରତ ଗୁରୁତ୍ୱର ସହ ଗ୍ରହଣ କରିଛି।  ଭାରତର ବୈଦେଶିକ ମନ୍ତ୍ରାଳୟ (ଏମ୍‌ଇଏ) ଏହାକୁ ପାକିସ୍ତାନର ପରମାଣୁ ଅସ୍ତ୍ର ସମ୍ପ୍ରସାରଣର ଇତିହାସ ସହ ଜଡ଼ିତ ବୋଲି କହିଛି।  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏମ୍‌ଇଏ ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି, ‘ଗୁପ୍ତ ଓ ବେଆଇନ ପରମାଣୁ କାର୍ଯ୍ୟକଳାପ ପାକିସ୍ତାନର ଇତିହାସ ଏବଂ ଏହା ପାକିସ୍ତାନର ନୀତି ପାଲଟିଛି।  ଦଶନ୍ଧି ଧରି ପରିମାଣୁ ସାମଗ୍ରୀ ଚୋରାଚାଲାଣ, ରପ୍ତାନୀ ନିୟନ୍ତ୍ରଣ ଉଲ୍ଲଙ୍ଘନ, ଗୁପ୍ତ ସହଭାଗିତା ଓ ବେଆଇନ ପରମାଣୁ ନେଟୱର୍କ ଭିତ୍ତିରେ ପାକ୍‌ର ପରମାଣୁ ନୀତି କାର୍ଯ୍ୟକାରୀ ହେଉଛି।’ ଭାରତର ଏହି ବୟାନ ଟ୍ରମ୍ପଙ୍କ ଦାବିକୁ ଗୁରୁତ୍ବ ଦେବା ସହ  ପାକିସ୍ତାନର ପରମାଣୁ ଇତିହାସକୁ ବିଶ୍ବ ସାମନାକୁ ଆଣିଛି।

Advertisment

ଗତ ୨ ତାରିଖରେ ଏକ ଟିଭି ସାକ୍ଷାତକାରରେ ଟ୍ରମ୍ପ ଦାବି କରିଥିଲେ ଯେ ପାକିସ୍ତାନ, ରୁଷ୍‌, ଚୀନ ଓ ଉତ୍ତର କୋରିଆ ଗୁପ୍ତ ଭାବେ ପରମାଣୁ ପରୀକ୍ଷା କରୁଛନ୍ତି, ଯାହା ଆମେରିକାକୁ ୩୩ ବର୍ଷ ପରେ ପୁନର୍ବାର ପରମାଣୁ ପରୀକ୍ଷା ଆରମ୍ଭ କରିବାକୁ ପ୍ରେରିତ କରିଛି। ଟ୍ରମ୍ପଙ୍କ ବୟାନ ପଛରେ କୌଣସି ସାର୍ବଜନୀନ ପ୍ରମାଣ ନଥିଲେ ମଧ୍ୟ, ଏହା ଆଲୋଡ଼ନ ସୃଷ୍ଟି କରିଛି।  ଅନେକ ଏହାକୁ ଏପ୍ରିଲ ୩୦ରୁ ମେ ୧୨, ୨୦୨୫ ମଧ୍ୟରେ ଆଫଗାନିସ୍ତାନ-ପାକିସ୍ତାନ ସୀମାନ୍ତରେ ହୋଇଥିବା ନିମ୍ନ-ତୀବ୍ରତାର ଭୂମିକମ୍ପ (୪.୦–୪.୭) ସହ ଜଡ଼ିତ କରିଛନ୍ତି।

ଅନ୍ୟପକ୍ଷରେ ପାକିସ୍ତାନ ଏହି ଅଭିଯୋଗକୁ ଖଣ୍ଡନ କରି କହିଛି, ‘ପାକିସ୍ତାନ ପ୍ରଥମେ ପରୀକ୍ଷା କରିନଥିଲା କି ଏହା ପୁନଃ ଆରମ୍ଭ କରିବ ନାହିଁ।’  ଏକ୍ସରେ ଭାରତୀୟ ନେଟିଜେନ୍‌ମାନେ ଏମ୍‌ଇଏର ବୟାନକୁ ସମର୍ଥନ କରି ପାକିସ୍ତାନର ଏକ୍ୟୁ ଖାନ ନେଟ୍‌ୱର୍କର ଇରାନ, ଲିବିଆ ଓ ଉତ୍ତର କୋରିଆକୁ ପରମାଣୁ ପ୍ରଯୁକ୍ତି ଯୋଗାଣ ଉପରେ ଟିପ୍ପଣୀ କରିଛନ୍ତି। ଏହି ଘଟଣା ଦକ୍ଷିଣ ଏସିଆର ପରମାଣୁ ପ୍ରତିଦ୍ୱନ୍ଦ୍ୱିତାକୁ ଭିନ୍ନ ମୋଡ଼ ଦେବ ବୋଲି କୁହାଯାଉଛି।