ମେଲୋଡ଼ିରେ ନାଚିବେ ଭାବି କୋଲକାତାରୁ ଆସିଥିବା ଝିଅଙ୍କୁ ଦେହ ବ୍ୟବସାୟରେ ଲଗାଇଲା ଦଲାଲ

ପାଟନା: ମେଲୋଡ଼ିରେ ନାଚିବେ, ଆଉ ଦୁଇ ପଇସା କମାଇବେ | ଏହି ସ୍ବପ୍ନ ଦେଖାଇ କୋଲକାତାରୁ ଯୁବତୀଙ୍କୁ ଆଣିଥିଲା ଦଲାଲ | ହେଲେ ସେମାନଙ୍କୁ ମେଲୋଡ଼ିରେ ସୁଯୋଗ ନ ଦେଇ ଦେହ ବ୍ୟବସାୟରେ ନିୟୋଜିତ କରିଥିଲା | ବିହାରର ନାଳନ୍ଦାରୁ ତିନିଜଣ ଯୁବତୀଙ୍କୁ ଉଦ୍ଧାର କରିବା ପରେ ପୁଲିସ ଏବାବଦରେ ଜାଣିବାକୁ ପାଇଛି | ମିଳିଥିବା ସୂଚନା ମୁତାବକ ବିହାରରେ ଥିବା ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳ ରାଜଗିରରୁ ପୁଲିସ ତିନିଜଣ ଯୁବତୀଙ୍କୁ ଦଲାଲ କବଳରୁ ପୁଲିସ ଉଦ୍ଧାର କରିଛି |

ସୂଚନା ମିଳିଛି ଯେ ଏହି ଯୁବତୀମାନଙ୍କୁ ମେଲୋଡ଼ିରେ ନାଚିବା ପାଇଁ ଡକାଯାଇଥିଲା, କିନ୍ତୁ ଏଠାକୁ ଆସିବା ପରେ ଦଲାଲ ସେମାନଙ୍କୁ ଦେହ ବ୍ୟବସାୟ କରିବା ପାଇଁ ବାଧ୍ୟ କରିଥିଲା | ଘରକୁ ଫେରିବାର ଆଉ କିଛି ବାଟ ନଥିବାରୁ ଯୁବତୀମାନେ ବାଧ୍ୟ ହୋଇ ଦଲାଲ କଥା ମାନି ଦେହ ବ୍ୟବସାୟରେ ସଂଶ୍ଲିଷ୍ଟ ହୋଇଥିଲେ |

ଏ ସମ୍ପର୍କରେ ପୁଲିସ ଗୁପ୍ତ ସୂଚନା ପାଇଥିଲା। ଏହା ପରେ ପୁଲିସ ତୁରନ୍ତ ଉକ୍ତ ଅଞ୍ଚଳରେ ଚଢ଼ାଉ କରି ତିନିଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା। ତେବେ ଦଲାଲ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲା । ଉଦ୍ଧାର ହୋଇଥିବା ତିନିଜଣ ଯୁବତୀଙ୍କ ମଧ୍ୟରୁ ଦୁଇଜଣ କୋଲକାତା ଏବଂ ଜଣେ ଉତ୍ତରପ୍ରଦେଶର ବୋଲି କୁହାଯାଉଛି। ପୁଲିସ ଏହି ତିନି ଯୁବତୀଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଡାକ୍ତରଖାନାକୁ ପଠାଇଛି। ଘଟଣାର ତଦନ୍ତ ଚାଲିଥିବା ସହ ଖୁବ୍ ଶୀଘ୍ର ଦଲାଲମାନଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି |

ସମ୍ବନ୍ଧିତ ଖବର