କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତି : ବୈଧ ହେବ ଦିଲ୍ଲୀର ବେଆଇନ କଲୋନି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଆଜି କ୍ୟାବିନେଟ୍‌ ବୈଠକରେ ଦିଲ୍ଲୀର ବେଆଇନ କଲୋନିଗୁଡ଼ିକୁ ନିୟମିତ କରିବା ପାଇଁ ପ୍ରସ୍ତାବ ମଂଜୁର ହୋଇଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଦିଲ୍ଲୀର ୪୦ ଲକ୍ଷ ଲୋକ ଉପକୃତ ହେବେ। ବେଆଇନ କଲୋନିରେ ରହୁଥିବା ୪୦ ଲକ୍ଷ ଲୋକଙ୍କୁ ମାଲିକାନା ହକ୍‌ ମିଳିବ। ଦୀର୍ଘ ବର୍ଷ ଧରି କଲୋନି ବାସିନ୍ଦାମାନେ ଏହି ଦାବି କରି ଆସୁଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଦିଲ୍ଲୀ ରାଜନୀତି ସରଗରମ ହୋଇଉଠିଛି। ସହର ବିକାଶ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ଯେ ବସ୍ତି ବାସିନ୍ଦାମାନେ ଯେଉଁଠି ରହୁଛନ୍ତି ସେହି ସ୍ଥାନ ସେମାନଙ୍କର ହେଉ କି ସରକାରଙ୍କର, ସମସ୍ତ ବାସିନ୍ଦାଙ୍କୁ ମାଲିକାନା ହକ୍‌ ପ୍ରଦାନ କରାଯିବ। ୧୯୪୭ରେ ଦିଲ୍ଲୀର ଜନସଂଖ୍ୟା ୮ ଲକ୍ଷ ଥିଲା। ବିଭାଜନ ପରେ ଏଠାକୁ ବହୁ ସଂଖ୍ୟାରେ ଶରଣାର୍ଥୀ ଆସିଥିଲେ ଏବଂ ଏବେ ଜାତୀୟ ରାଜଧାନୀର ଜନସଂଖ୍ୟା ୨ କୋଟିରେ ପହଞ୍ଚିଲାଣି। ମାଲିକାନା ଅଧିକାର ପ୍ରଦାନ କରାଯିବା ପରେ ସମସ୍ତ କଲୋନୀ ଅଂଚଳରେ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ସେ କହିଛନ୍ତି। ସହରାଞ୍ଚଳର ସୁବିଧାସୁଯୋଗରୁ ବଞ୍ଚିତ ରହିଥିବା ବେଆଇନ କଲୋନିଗୁଡ଼ିକରେ ବିକାଶର ନୂଆ ଯୁଗ ଆରମ୍ଭ ହେବ ଏବଂ ଦିଲ୍ଲୀରେ ବଡ଼ ଧରଣର ପରିବର୍ତ୍ତନ ଆସିବ ବୋଲି ସେ କହିଛନ୍ତି। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି କାମ ତ୍ବରାନ୍ବିତ କରିବା ପାଇଁ ସହଯୋଗ ଲୋଡ଼ାଯାଇଥିଲେ ମଧ୍ୟ ତାଙ୍କଠାରୁ କୌଣସି ସହଯୋଗ ମିଳିନଥିଲା ବୋଲି ହର୍‌ଦୀପ କହିଛନ୍ତି। ଏପରିକି ଚିହ୍ନଟ ପ୍ରକ୍ରିୟାରେ ମଧ୍ୟ କେଜ୍ରିୱାଲ ସରକାରଙ୍କ ସହଯୋଗ ନଥିଲା ବୋଲି ସେ କହିଛନ୍ତି। ଆଜି କେନ୍ଦ୍ରର ମଂଜୁରି ପରେ କେଜ୍ରିୱାଲ କହିଛନ୍ତି ଯେ ତାଙ୍କ ସରକାରଙ୍କ ପ୍ରସ୍ତାବ ଆଧାରରେ ସରକାର ଏହି ମଂଜୁରି ଦେଇଛନ୍ତି।

ସମ୍ବନ୍ଧିତ ଖବର