ନୂଆଦିଲ୍ଲୀ: ୨୦୨୦ରେ ଚୀନ୍‌ ସେନା ସହ ଗଲୱାନ୍‌ ସଂଘର୍ଷ ସମୟରେ ସହିଦ ହୋଇଥିବା ଯବାନ ଜୟ କିଶୋର ସିଂହଙ୍କ ବାପା ରାଜ କପୁର ସିଂହଙ୍କୁ ଆଜି ବିହାର ପୁଲିସ ଗିରଫ କରିଛି। ବିହାରର ବୈଶାଳୀ ଜିଲ୍ଲାରେ ବେଆଇନ ଭାବେ ପୁଅର ସ୍ମୃତିରେ ଏକ ସ୍ମାରକ ନିର୍ମାଣ କରିଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ପୁଲିସ ସହିଦ ଯବାନଙ୍କ ବାପାଙ୍କୁ ଦୁର୍ବ୍ୟବହାର କରିଥିଲା ଏବଂ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ଥାନାକୁ ନେଇଥିଲା। ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ଏବେ ସୋ‌ସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ରାଜ କପୁର ସିଂହ ଗତବର୍ଷ ‌ଫେବ୍ରୁଆରି ୨୪ରେ ତାଙ୍କ ଗାଁ କାଜ୍ରି ବୁଜୁର୍ଗରେ ପୁଅର ସ୍ମୃତିରେ ଏକ ସ୍ମାରକ ନିର୍ମାଣ କରିଥିଲେ। ସ୍ମାରକ ଉଦ୍‌ଘାଟନ ସମୟରେ ଅନେକ ସ୍ଥାନୀୟ ସରକାରୀ କର୍ମଚାରୀ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ଗତବର୍ଷ ଡିସେମ୍ବରରୁ ରାଜ କପୁର ସିଂହଙ୍କ ପଡ଼ୋଶୀ ହରିନାଥ ରାମ ତାଙ୍କୁ ବିରୋଧ କରିଥିଲେ। ପୁଅର ପ୍ରତିମୂର୍ତ୍ତି ଚାରିପାଖରେ ସେ କାନ୍ଥ ବୁଲାଇବାରୁ ହରିନାଥ ଏହାକୁ ବିରୋଧ କରିଥିଲେ। ସ୍ମାରକ ନିର୍ମାଣ ଦ୍ବାରା ହରିନାଥଙ୍କ ଘରକୁ ଯିବା ଆସିବା ବାଟ ବନ୍ଦ ହୋଇଥିବା ସେ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ ରାଜ କପୁର ସିଂହଙ୍କୁ ଗିରଫ କରିଛି। ସହିଦ ଯବାନ ଜୟ କିଶୋର ସିଂହଙ୍କ ସାନ ଭାଇ ନନ୍ଦ କିଶୋର ସିଂହ କହିଛନ୍ତି, ସ୍ମାରକ ୧୫ ଦିନ ମଧ୍ୟରେ ଭାଙ୍ଗିବାପାଇଁ ପୁଲିସ ତାଙ୍କୁ କହିଥିଲା। ତେବେ ଏହା ପୂର୍ବରୁ ସ୍ଥାନୀୟ ପୁଲିସ ତାଙ୍କ ଘରକୁ ଆସି ବାପାଙ୍କୁ ବାଡ଼େଇବା ସହ ଘୋଷାଡ଼ି ଘୋଷାଡ଼ି ଥାନାକୁ ନେଇଛି।