ନୂଆଦିଲ୍ଳୀ/ପୁଣେ: ଦିଲ୍ଲୀ ଓ ପୁଣେ ପୁଲିସର ସ୍ବତନ୍ତ୍ର ଟିମ୍‌ ଆଜି ୧୧୦୦ କିଲୋଗ୍ରାମ ନିଷିଦ୍ଧ ନିଶାଦ୍ରବ୍ୟ ‘ମିଉ ମିଉ’ ଜବତ କରିଛି। ଏହି ମାମଲାରେ ବର୍ତମାନ ସୁଦ୍ଧା ଜଣେ କାରଖାନା ମାଲିକଙ୍କ ସହ ୬ଜଣଙ୍କୁ ଗିରଫ କରାଯାଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୩ ହଜାର କୋଟି ଟଙ୍କା ହେବ ବୋଲି ପୁଲିସ କହିଛି। ପୁଣେ ପୁଲିସ କମିସନର ଅମିତେଶ କୁମାର ଏନେଇ ସୂଚନା ଦେଇ କହିଛନ୍ତି, ନିକଟରେ ଗିରଫ ହୋଇଥିବା ଜଣେ ବ୍ୟକ୍ତିକୁ ଜେରାରୁ ମିଳିଥିବା ତଥ୍ୟ ଭିତ୍ତିରେ ମଙ୍ଗଳବାର ପୁଣେର ଭୈରବୀ ନଗର, ବିଶ୍ରାନ୍ତୱାଦୀ ଅଞ୍ଚଳ ଓ କୁରକୁମ୍ଭ ଏମ୍‌ଆଇଡିସିର ଏକ କାରଖାନାରେ ଚଢ଼ଉ କରାଯାଇଥିଲା। ଏହି ସ୍ଥାନରୁ ୭ଶହ କିଲୋଗ୍ରାମ ‘ମିଉ ମିଉ’ ଜବତ କରାଯିବା ସହ କାରଖାନାର ମାଲିକ ଅନିଲ ସାବଲେଙ୍କ ସହ ଦୁଇଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ମଳିଥିବା ତଥ୍ୟ ଆଧାରରେ ଦକ୍ଷିଣ ଦିଲ୍ଲୀର ‌ହଜ୍‌ଖାସ ଠାରେ ଥିବା ଏକ ଗୋଦାମରେ ଚଢ଼ଉ କରାଯାଇ ସେଠାରେ ମହଜୁଦ ଥିବା ୪ ଶହ କିଲୋଗ୍ରାମ ‘ମିଉ ମିଉ’ ଜବତ କରାଯାଇଛି। ଏହି ମାମଲାରେ ଆଉ ତିନିଜଣଙ୍କୁ ଗିରଫ କରାଯାଇଛି।

Advertisment

ଏତେ ପରିମାଣରେ ଏହି ନିଷିଦ୍ଧ ଡ୍ରଗ୍୍‌ସ ଜବତ କରାଯିବା କେବଳ ମହାରାଷ୍ଟ୍ର ନୁହେଁ ସମଗ୍ର ଦେଶରେ ସର୍ବାଧିକ ଅଟେ। ଏହି ଜବତ ପରେ ବିଭିନ୍ନ ରାଜ୍ୟର ପୁଲିସ ଓ ଗୁଇନ୍ଦା ବିଭାଗକୁ ନେଇ ଯୁଗ୍ମ ଭାବେ ଅନୁସନ୍ଧାନ ଆରମ୍ଭ କରାଯାଇଛି। ଏହି ରାକେଟ୍‌ର ମୁଖ୍ୟ ଅଭିଯୁକ୍ତ ଧରାପଡ଼ିନାହିଁ। ଗିରଫ ୬ଜଣଙ୍କ ମଧ୍ୟରୁ ୫ ଜଣ ଏହି ନିଶା ଦ୍ରବ୍ୟ ନେବା ଆଣିବା କାମ କେବଳ କରୁଥିଲେ। ପୁଣେରୁ ଏହି ନିଶାଦ୍ରବ୍ୟ ଦିଲ୍ଲୀକୁ ପଠାଯାଉଥିଲା ଓ ସେଠାରେ ଏହା ମହଜୁଦ ରଖାଯାଇ ଅନ୍ୟ ସ୍ଥାନକୁ ପଠାଇବା ବ୍ୟବସ୍ଥା କରାଯାଉଥିଲା ବୋଲି କମିସନର କହିଛନ୍ତି।