ବିଜେପିରେ ଉପରୁ ତଳ ପର୍ଯ୍ୟନ୍ତ ମୁର୍ଖମାନେ ଅଛନ୍ତି : କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ଆମ ଆଦମି ପାର୍ଟି (ଆପ) ଓ ବିଜେପି ମଧ୍ୟରେ ବିବାଦ ଜାରି ରହିଛି । ଦିଲ୍ଲୀର ବଜେଟକୁ ଅଟକାଇବାକୁ ନେଇ ଦୁଇ ଦଳ ମଧ୍ୟରେ ଯୁକ୍ତିତର୍କ ଲାଗି ରହିଛି । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ବିଜେପିରେ ଉପରୁ ତଳ ପର୍ଯ୍ୟନ୍ତ ମୁର୍ଖମାନେ ଅଛନ୍ତି ।

କେଜ୍ରିଓ୍ବାଲଙ୍କ ବଜେଟକୁ ବିଜେପି ସମାଲୋଚନା କରିବା ପରେ ତାହାର ଜବାବରେ ସେ ଏକଥା କହିଛନ୍ତି । ବିଜେପି କହିଥିଲା ଯେ ରାଜ୍ୟ ସରକାର ବିଜ୍ଞାପନରେ ଯେତିକି ବ୍ୟୟ କରୁଛନ୍ତି ତାହା ଦିଲ୍ଲୀର ବଜେଟକୁ ବଳିଯିବ । ଦିଲ୍ଲୀ ସରକାର ଉନ୍ନୟନମୂଳକ ପ୍ରକଳ୍ପରେ ବ୍ୟୟବରାଦ କମାଇଦେଇଥିବାବେଳେ ବିଜ୍ଞାପନରେ ଅଧିକ ବ୍ୟୟ କରୁଥିବାରୁ ତାହାକୁ ନେଇ ଗୃହମନ୍ତ୍ରାଳୟ ପ୍ରଶ୍ନ ଉଠାଇଥିଲା ।

ଏହାର ଜବାବରେ କେଜ୍ରିଓ୍ବାଲ ମଙ୍ଗଳବାରଦିନ କହିଛନ୍ତି “ବିଜ୍ଞାପନ ପାଇଁ ୫୦୦ କୋଟିର ବ୍ୟୟବରାଦ କରାଯାଇଥିବାବେଳେ ଭିତ୍ତିଭୂମି ନିର୍ମାଣ ପାଇଁ ୨୦ ହଜାର କୋଟି ବ୍ୟୟ ହେଉଛି ।  ୫୦୦ କୋଟି ଅଧିକ ନାଁ ୨୦ ହଜାର କୋଟି ? ବିଜେପିରେ ଉପରୁ ତଳ ପର୍ଯ୍ୟନ୍ତ ମୁର୍ଖମାନେ ଅଛନ୍ତି । ”

ଏହାକୁ ନେଇ ଯେତେବେଳେ ବିଜେପି ସଦସ୍ୟମାନେ ହଟ୍ଟଗୋଳ କଲେ, କେଜ୍ରିଓ୍ବାଲ କହିଲେ ଯେ ସେ ତାଙ୍କ ନେତାଙ୍କ ନାଁ ନେଇ ନାହାନ୍ତି ।  ସେ ଆହୁରି ମଧ୍ୟ କହିଥିଲେ ଯେ କୌଣସି ରାଜ୍ୟର ବଜେଟକୁ ଅଟକାଇବା ଅସାମ୍ବିଧାନିକ ।

ସମ୍ବନ୍ଧିତ ଖବର