କରୋନା ମହାମାରୀ ଯୋଗୁଁ ବିଶ୍ୱରେ ପ୍ରତି ୬ ଜଣରୁ ଜଣେ ଯୁବକ ନିଯୁକ୍ତି ହରାଇଛନ୍ତି : ଅନ୍ତର୍ଜାତୀୟ ଶ୍ରମ ସଂଗଠନ

ନୂଆଦିଲ୍ଲୀ : ସାରା ବିଶ୍ୱରେ ବ୍ୟାପିଥିବା କରୋନା ଭାଇରସ ମହାମାରୀର ଗୁରୁତର ପ୍ରଭାବ ଅର୍ଥନୀତି ଉପରେ ପଡ଼ିଛି । ଏହାଫଳରେ ସାରା ବିଶ୍ୱରେ କୋଟି କୋଟି ଲୋକ ନିଯୁକ୍ତି ହରାଇଛନ୍ତି । ଅନ୍ତର୍ଜାତୀୟ ଶ୍ରମ ସଂଗଠନର ଏକ ରିପୋର୍ଟ ଅନୁସାରେ ବିଶ୍ୱରେ ପ୍ରତି ୬ ଜଣ ଯୁବବ୍ୟକ୍ତିଙ୍କ ମଧ୍ୟରୁ ଜଣେ ନିଯୁକ୍ତି ହରାଇଛନ୍ତି । ଏପର୍ଯ୍ୟନ୍ତ ବିଶ୍ୱରେ ପ୍ରାୟ ୧୩ କୋଟି ଯୁବକ ଯୁବତୀ ନିଯୁକ୍ତି ହରାଇଛନ୍ତି । ଏହି ରିପୋର୍ଟରେ କୁହାଯାଇଛି ଯେ କରୋନା ମହାମାରୀର ସବୁଠାରୁ ବଡ଼ ପ୍ରଭାବ ନିଯୁକ୍ତି କ୍ଷେତ୍ର ଉପରେ ପଡ଼ିଛି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ମହିଳାମାନେ ।

ଆଇଏଲଓ ମହାନିର୍ଦ୍ଦେଶକ ଜଏ ରାଇଡର କହିଛନ୍ତି ଯେ ବିଶ୍ୱର ଯୁବସମାଜର ଦକ୍ଷତାର ଉପଯୁକ୍ତ ଉପଯୋଗ ନହେଲେ ସ୍ଥିତି ଗମ୍ଭୀର ହେବ । ଏଣୁ ଆମକୁ ସେମାନଙ୍କୁ କର୍ମକ୍ଷେତ୍ରକୁ ଫେରାଇ ଆଣିବାକୁ ହେବ । କରୋନା ଯୋଗୁଁ ଯୁବସମ୍ବଳର ୩ ପ୍ରକାରର କ୍ଷତି ହେଉଛି । ଗୋଟିଏ ପଟେ ସେମାନେ ନିଯୁକ୍ତି ହରାଉଛନ୍ତି, ଅନ୍ୟପଟେ ସେମାନଙ୍କ ଶିକ୍ଷା ଓ ତାଲିମ ପ୍ରଭାବିତ ହୋଇଛି ଓ ୩ୟରେ ଯେଉଁମାନେ ଶ୍ରମବଜାରରେ ପ୍ରବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କ ଆଗରେ ପ୍ରତିବନ୍ଧକ ଛିଡ଼ାହୋଇଛିି । ଏଣୁ ସମଗ୍ର ବିଶ୍ୱ ଏକାଠି ଏହି ସମସ୍ୟାରେ ସମାଧାନ ଲାଗି ନୀତି ପ୍ରଣୟନ କରିବା ସହ ସମୟୋଚିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର