ଭୁବନେଶ୍ବର: ଓଡିଶାର ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକୁ ଦୃଷ୍ଟିରେ ରଖି ଭୁବନେଶ୍ବରସ୍ଥ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ ପକ୍ଷରୁ ଏକ ଅଭିନବ ଗବେଷଣା କରାଯାଇଛି । ପ୍ରାୟ ତିନି ବର୍ଷ ପୂର୍ବେ ଆଇ.ଏଲ୍.ଏସ.ର ପୂର୍ବତନ ନିର୍ଦ୍ଦେଶକ ସ୍ଵର୍ଗତଃ ଡକ୍ଟର. ଅଜୟ ପରିଡାଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଆଦିବାସୀଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ସମ୍ବନ୍ଧିତ ଏହି ଗବେଷଣାକୁ ଆରମ୍ଭ କରିଥିଲେ |
ଭୁବନେଶ୍ବରର ଆଇ.ଏଲ୍.ଏସ୍. ଗବେଷକମାନେ ଆଦିବାସୀ ଲୋକଙ୍କ ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଉପକାରୀ ଜୀବାଣୁ ( ପ୍ରୋବାୟାଟିକ୍) ଆବିଷ୍କାର କରିବାରେ ସଫଳ ହୋଇଛନ୍ତି। ପ୍ରୋବାୟୋଟିକ ହେଉଛି ଏକ ପ୍ରକାରର ଉପକାରୀ ଅଣୁଜୀବ ଯାହା ଜୀବନ୍ତ ଅବସ୍ଥାରେ ପର୍ଯ୍ୟାପ୍ତ ପରିମାଣରେ ସେବନ କଲେ ମଣିଷ ଏବଂ ପଶୁମାନଙ୍କୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମ୍ଵନ୍ଧିତ ଉପକାର ଯୋଗାଇଥାଏ | ଏହି ସହାୟକ ପ୍ରୋବାୟୋଟିକମାନେ ତରଳ ଝାଡ଼ା, ମେଦବହୁଳତା ଏବଂ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ପ୍ରତିରୋଧ ଏବଂ ନିୟନ୍ତ୍ରଣରେ ଉପଯୋଗୀ ବୋଲି ଜଣାଶୁଣା |
ଓଡିଶା ଜନଜାତିର ଅନନ୍ୟ ଖାଦ୍ୟ ଅଭ୍ୟାସ, ସଂସ୍କୃତି ଏବଂ ପରିସଂସ୍ଥାକୁ ହୃଦୟଙ୍ଗମ କରି ଆଇ.ଏଲ୍.ଏସ.ର ବୈଜ୍ଞାନିକ ସମ୍ଭାବ୍ୟ ପ୍ରୋବୋଟିକ୍ସ ସଂପର୍କରେ ଅନୁସନ୍ଧାନ କରିବାକୁ ଯୋଜନା କରିଥିଲେ। ଏହି ପରିପ୍ରେକ୍ଷୀରେ, ଆଇ.ଏଲ୍.ଏସ୍.ର ବୈଜ୍ଞାନିକ ଡକ୍ଟର. ଶାନ୍ତିଭୂଷଣ ସେନାପତିଙ୍କ ଗବେଷଣା ଦଳ ଆଇଏଲ୍ଏସରୁ ଏକାଧିକ ପ୍ରୋବାୟୋଟିକକୁ ଚିହ୍ନଟ ଏବଂ ପୃଥକ କରିଛି | ନିକଟରେ ଡକ୍ଟର. ସେନାପତିଙ୍କ ଗବେଷଣା ଦଳ ଏହିପରି ଏକ ଉପଯୋଗୀ ପ୍ରୋବାୟୋଟିକର ପୁରା ଜିନୋମ୍ କ୍ରମ ଏବଂ ଅନ୍ୟାନ୍ୟ ପ୍ରୋବାୟୋଟିକ୍ ଗୁଣଗୁଡିକ ଅନୁସନ୍ଧାନ କରିଛନ୍ତି। “ୱାର୍ଲ୍ଡ ଜର୍ନାଲ୍ ଅଫ ମାଇକ୍ରୋବାୟୋଲୋଜି ଏଣ୍ଡ ବାୟୋଟେକ୍ନୋଲୋଜି”ରେ ଏହି ଗବେଷଣାଲବ୍ଧ ତଥ୍ୟ ପ୍ରକାଶିତ ହୋଇଛି, ଯାହାକି ଏହି କ୍ଷେତ୍ରରେ ଏକ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ପତ୍ରିକା |
ଏହି ପ୍ରକାଶନର ମୁଖ୍ୟ ଗବେଷକ ଡକ୍ଟର. ଜୟଲକ୍ଷ୍ମୀ ଦାଶ ଏବଂ ମନୀଷା ସେଠୀ ଉଲ୍ଲେଖ କରିଛନ୍ତି ଯେ, ଆଉ ତିନିଟି ପ୍ରୋବାୟୋଟିକ ପାଇଁ ସମଗ୍ର ଜିନୋମ୍ କ୍ରମ ସମାପ୍ତ ହୋଇସାରିଛି ଏବଂ କ୍ରମଗୁଡିକ ଏନ.ସି.ବି.ଆଇ. ଡାଟାବେସରେ ଜମା କରାଯାଇଛି | ଆଇ.ଏଲ୍.ଏସ୍. ନିର୍ଦ୍ଦେଶକ ଡକ୍ଟର. ପୁଲୋକ କୁମାର ମୁଖାର୍ଜୀ ଏହି ସଫଳତା ଉପରେ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଭବିଷ୍ୟତରେ ଏହି ପ୍ରୋବାୟୋଟିକ ଯୁକ୍ତ ଖାଦ୍ୟର ବିକାଶ ପାଇଁ ଏହି ପ୍ରୟାସକୁ ଅଧିକ ଦିଗନ୍ତକାରୀ କରିବାକୁ ଉଲ୍ଲେଖ କରିଛନ୍ତି। ଏହି ପ୍ରୋବାୟୋଟିକ୍ସର ଉତ୍ପତ୍ତି ଓଡିଶାର ଜନଜାତିଙ୍କଠାରୁ ହୋଇଥିବାରୁ ଡକ୍ଟର ସେନାପତି ଆଶା କରିଛନ୍ତି ଯେ ଏହି ଜୀବାଣୁମାନେ ଓଡିଶାର ଆଦିବାସୀମାନଙ୍କ ସ୍ୱାସ୍ଥ୍ୟ ପ୍ରୋତ୍ସାହନ ପାଇଁ ଅଧିକ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସାମଗ୍ରିକ ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ।