ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗତକାଲି ରାତିରେ ଏକ ଭିଡିଓ ଜାରି କରି କହିଥିଲେ , ସେ ପୂର୍ବାପେକ୍ଷା ଅଧିକ ସୁସ୍ଥ ଅନୁଭବ କରୁଛନ୍ତି କିନ୍ତୁ ପରବର୍ତ୍ତୀ କିଛିଦିନ ବାସ୍ତବ ପରୀକ୍ଷା । ଟ୍ରମ୍ପ୍ଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଭଲଭାବେ ଅବଗତ ଥିବା ଏକ ସୂତ୍ରରୁ କୁହାଯାଇଥିଲା ଯେ, ଆଗାମୀ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହାପରେ ଟ୍ରମ୍ପ୍ଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଅଧିକ ଦ୍ବନ୍ଦ୍ବ ବଢ଼ିଥିଲା । କିନ୍ତୁ ୭୪ ବର୍ଷୀୟ ଟ୍ରମ୍ପ୍ ଏକ ଭିଡିଓ ଟ୍ବିଟ୍ କରି ସର୍ବସାଧାରଣଙ୍କୁ ଆଶ୍ବସ୍ତ କରିଛନ୍ତି। ସେ କହିଛନ୍ତି, ଯେତେବେଳେ ସେ ହସ୍ପିଟାଲ୍ ଆସିଥିଲେ ସେ ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସେତେ ଭଲ ନଥିଲା। କିନ୍ତୁ ଏବେ ସେ ପୂର୍ବାପେକ୍ଷା ଅଧିକ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି। ଟ୍ରମ୍ପ୍ଙ୍କ ବୟସ ଏବଂ ଓଜନ ପାଇଁ ଅଧିକ ଚିନ୍ତା ବଢ଼ିଛି। ଏହା କରୋନା ଲଢ଼େଇରେ ଏକ ବଡ଼ ଚ୍ୟାଲେଂଜ ହୋଇପାରେ ବୋଲି କୁହାଯାଉଛି।