ମୁଁ ଲସ୍କର୍‌ର ବଡ଼ ସମର୍ଥକ, ସେମାନେ ବି ମୋତେ ପସନ୍ଦ କରନ୍ତି: ପର୍‌ଭେଜ୍‌ ମୁଶାରଫ୍‌

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ସାମରିକ ଏକଚ୍ଛତ୍ରବାଦୀ ଶାସକ ପର୍‌ଭେଜ୍‌ ମୁଶାରଫ୍‌ କହିଛନ୍ତି ଯେ ଲସ୍କର୍‌-ଏ-ତୈବା ଆତଙ୍କବାଦୀ ସଙ୍ଗଠନର ସେ ସବୁଠୁ ବଡ଼ ସମର୍ଥକ। ସେମାନେ ମଧ୍ୟ ତାଙ୍କୁ ପସନ୍ଦ କରୁଥିବା କଥା ସେ ଜାଣିଛନ୍ତି।

ଲସ୍କର୍‌-ଏ-ତୈବାର ପ୍ରତିଷ୍ଠାତା ଏବଂ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ ହାଫିଜ୍‌ ସଇଦ୍‌ଙ୍କୁ ସେ ପସନ୍ଦ କରିନ୍ତି କି, ନାହିଁ ପଚରା ଯିବାରୁ ସେ କହିଥିଲେ ସଇଦ୍‌ କଶ୍ମୀର ମାମଲାରେ ସମ୍ପୃକ୍ତ। ତେଣୁ ସେ ତାଙ୍କର ସମ୍ପୃକ୍ତିକୁ ସମର୍ଥନ କରନ୍ତି। ପାକିସ୍ତାନର ଆରି ଟିଭି ପାଇଁ ଏକ ସାକ୍ଷାତ୍‌କାର ଅବସରରେ ମୁଶାରଫ ଏ କଥା କହିଛନ୍ତି।

ସଇଦ୍‌ଙ୍କ ଦ୍ୱାରା ସ୍ଥାପିତ ଦୁଇଟି ଆତଙ୍କବାଦୀ ସଙ୍ଗଠନ ଲସ୍କର୍‌-ଏ-ତୈବା ଏବଂ ଜମାତ୍‌-ଉଦ୍‌-ଦାଓ୍ଵାର ସେ ବଡ଼ ସମର୍ଥକ ବୋଲି କହନ୍ତି ମୁଶାରଫ୍‌। ସେ ସଙ୍ଗଠନର କର୍ମକର୍ତ୍ତାମାନେ ମଧ୍ୟ ମୁଶାରଫଙ୍କୁ ପସନ୍ଦ କରୁଥିବା କଥା ସେ କହିଛନ୍ତି।

ଲାହୋର ହାଇକୋର୍ଟଙ୍କ ଆଦେଶରେ ଗତ ସପ୍ତାହରେ ସଇଦଙ୍କୁ ଗୃହବନ୍ଦୀରୁ ମୁକ୍ତ କରାଯାଇଥିଲା। ଜାତି ସଂଘତାଙ୍କୁ ଗ୍ଲୋବାଲ୍‌ ଟେରରିଷ୍ଟ୍‍ ଆଖ୍ୟା ଦେଇଛି। ଆମେରିକା ମଧ୍ୟ ତାଙ୍କୁ ଜଣେ ଆତଙ୍କବାଦୀ ବୋଲି କହିଛି। ୨୦୦୮ ମୁମ୍ବାଇ ଆତଙ୍କବାଦ ଆକ୍ରମଣ ପରେ ତାଙ୍କ ଉପରେ ୧୦ ମିଲିୟନ୍‌ ଆମେରିକୀୟ ଡଲାର୍‌ ପୁରସ୍କାର ରାଶି ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର