ମୁଁ ଭାରତ ବିରୋଧୀ ନୁହେଁ: ଇମ୍ରାନ୍‌ ଖାଁ

ଇସ୍‌ଲାମାବାଦ୍‌: ସେ ଭାରତ, ଆମେରିକା ଅଥବା ବ୍ରିଟେନ୍‌ ବିରୋଧୀ ନୁହନ୍ତି ବୋଲି ମଙ୍ଗଳବାର ଦିନ ପାକିସ୍ତାର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଇସ୍‌ଲାମାବାଦ୍‌ରେ ଆୟୋଜିତ ପାକିସ୍ତାନ୍‌ର ଦରିଆପାରି ସମ୍ମିଳନୀରେ କହିଛନ୍ତି।

ସେ କହିଛନ୍ତି, କ‌ୌଣସି ବ୍ୟକ୍ତି କୌଣସି ଦେଶର ବିରୁଦ୍ଧାଚରଣ କରନ୍ତି ନାହିଁ। କେବଳ ଜଣେ ଅଶିକ୍ଷିତ ବ୍ୟକ୍ତି କୌଣସି ଦେଶ ପ୍ରତି ବିରୁଦ୍ଧାଚରଣ କରି ପାରନ୍ତି। ଏହାର କାରଣ ହେଉଛି, ଗୋଟିଏ ଦେଶରେ ଅନେକ କିସମର ଜନସାଧାରଣ ରହିଥାଆନ୍ତି। ଆମେ ଦେଶମାନଙ୍କ ନୀତିର ବିରୋଧ କରୁ।

ସେ ଆହୁରି ମଧ୍ୟ କହିଛନ୍ତି, ଶରିଫ୍‌ ଏବଂ ଜର୍ଦାରିଙ୍କର ଲଜ୍ଜା ନ ଥିଲା। ଗତ ୧୦ ବର୍ଷରେ ଅନେକ ଥର ଡ୍ରୋନ୍‌ ଆକ୍ରମଣ ହୋଇଛି। ଆପଣମାନଙ୍କର ଅନ୍ତତଃ କହିବା ଉଚିତ ଥିଲା ଯେ, ବିଶ୍ବର କୌଣସି ଆଇନ କାହାକୁ ବିଚାରପତି, ବିଚାକାରୀ ଦଳ ଏବଂ ମୃତ୍ୟୁଦାତା ଭୂମିକା ନିର୍ବାହ ପାଇଁ ଅନୁମତି ଦିଏ ନାହିଁ।

ଭାଷଣ ଦେବା ବେଳେ ପ୍ରଧାନମନ୍ତ୍ରୀ ଖାନ୍‌ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ଲାଗି ଏକଜୁଟ ହୋଇଥିବା ୩ଟି ବିରୋଧୀ ଦଳଙ୍କୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ ଲୋକେ ଏବେ ପିଆଜ ଓ ଟମାଟର୍‌ର ଦର କଥା ଭୁଲି ଗଲେଣି। ଦରଦାମ୍‌ ହ୍ରାସ ପାଇଁ ସେ ଏବଂ ତାଙ୍କ ଟିମ୍‌ ସର୍ବଦା ଚିନ୍ତା କରୁଛନ୍ତି। ମାତ୍ର ଏହି ତିନୋଟି ଦଳ କ’ଣ କରୁଛନ୍ତି ଲୋକେ ତାହା ସ୍ପଷ୍ଟ ଭାବରେ ଦେଖିପାରୁଛନ୍ତି।

Image Courtesy of National Herald

ଆପଣା ଦଳର ନୈତିକତା ପରିହାର କରିଥିବାରୁ ପ୍ରଥମେ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ମାର୍ଚ ୨୭ ତାରିଖ ରାଲି ନିମନ୍ତେ ଏବେ ସମସ୍ତେ ଇସ୍‌ଲାମାବାଦ ଅଭିମୁଖେ ମୁହାଁଇଛନ୍ତି। ୧୦ ଦିନ ଭିତରେ ଦେଶ କେମିତି ବଦଳି ଗଲା, ମୁଁ ସେହିକଥା ହିଁ ଭାବୁଛି। ଦର ବୃଦ୍ଧି କଥା ଏବେ କେହି ଭାବୁ ନାହାନ୍ତି।

ଏହି ତିନୋଟି ଦଳ ପରସ୍ପରଙ୍କୁ ଦୁର୍ନୀତିଗସ୍ତ ବୋଲି ବିଚାର କରନ୍ତି। ‘ଫଜଲ୍‌-ଉର୍‌-ରେହମନ୍‌’ଙ୍କ ପାର୍ଟି ଭାବେ ‘ନୁନ୍‌ ଲିଗ୍‌’ ଏବଂ ‘ପିପିପି’ମାନେ ଚୋର। ‘ନୁନ୍‌ ଲିଗ୍‌’ ଭାବେ ଜଦାରି ଜଣେ ଚୋର ଏବଂ ‘ଫଜୁଲ୍‌-ଉର୍‌-ରହମନ୍‌’ ଡିଜେଲ୍ (କାରଣ, ସେ ଡିଜେଲ୍‌ ଦୁର୍ନୀତିରେ ସମ୍ପୃକ୍ତ ଥିଲେ)। ନବ‌ାବ୍‌ ସରିଫ୍‌ ଜଣେ ଚୋର ବୋଲି ‘ପିପୁଲସ୍‌ ପାର୍ଟି’ ମଧ୍ୟ ବିଚାର କରେ। ଆଉ ଏବେ ସେ ତିନିଦଳ ଏକତ୍ର ହୋଇଛନ୍ତି। ସେଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଦେଶକୁ ଏହି ତିନି ଦଳରୁ ରକ୍ଷା କରିବେ କି, ନାହିଁ ଏବେ ଜନତା ହୃଦୟଙ୍ଗମ କରିପାରିବେ।

ଏବେ ମୁଦ୍ରାସ୍ଫୀତି ଯୋଗୁଁ ଲୋକେ ଅସୁବିଧାରେ ଅଛନ୍ତି। କିନ୍ତୁ ବିରୋଧୀମାନେ ନିଜର ଦୁର୍ନୀତି କଥା ଭୁଲି ଲୋକମାନଙ୍କୁ ବିଭ୍ରାନ୍ତ କରାଉଛନ୍ତି। ତେଣୁ ୨୦୨୩ ସାଧାରଣ ନିର୍ବାଚନରେ ସେମାନଙ୍କର ପରାଜୟ ସୁନିଶ୍ଚିତ।

ସମ୍ବନ୍ଧିତ ଖବର