ବାବା ରାମଦେବଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ଆଇଏମଏ

ନୂଆଦିଲ୍ଲୀ: କୋଭିଡ୍‌-୧୯ ସଂକ୍ରମଣ କ୍ଷେତ୍ରରେ ଏଲୋପାଥି ଚିକିତ୍ସା ସମ୍ବନ୍ଧୀୟ ବିବାଦୀୟ ମନ୍ତବ୍ୟ ଦେଇ ଏବେ ବିବାଦରେ ରହିଛନ୍ତି ବାବା ରାମଦେବ | ପୂର୍ବରୁ ‘ଇଣ୍ଡିଆନ୍ ମେଡିକାଲ୍‌ ଆସୋସିଏସନ୍‌’ର ଉତ୍ତରଖଣ୍ଡ ଶାଖା ୧୦୦୦ କୋଟି ଟଙ୍କାର ମାନହାନୀ ନୋଟିସ୍ ପଠାଇଥିବା ବେଳେ ଏବେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛି | ଚିଠିରେ ରାମଦେବଙ୍କ ଟିକାକରଣ ବିଷୟରେ ଭୁଲ ସୂଚନା ଅଭିଯାନ ବନ୍ଦ କରିବାକୁ କହିବା ସହ ଦେଶଦ୍ରୋହ ଆଇନ ଅନୁଯାୟୀ ରାମଦେବଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇଏମଏ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛି।

indiatoday.in

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଠାଯାଇଥିବା ଚିଠିରେ ଆଇଏମଏ କହିଛି ଯେ, ଅତି ଦୁଃଖର ସହ ଆପଣଙ୍କ ନଜରକୁ ଆଣିବାକୁ ଚାହୁଁଛୁ ଯେ ଏକ ଭିଡିଓରେ ଟିକା ଗ୍ରହଣ କରିବା ସତ୍ୱେ ୧୦,୦୦୦ଡାକ୍ତରଙ୍କ ମୃତ୍ୟୁ ଘଟିଛି ଏବଂ ଏଲୋପାଥି ଔଷଧ ପାଇଁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି କହି ବାବା ରାମଦେବ ଲୋକଙ୍କୁ ଭ୍ରମିତ କରିଛନ୍ତି | ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ସକ୍ରିୟ ଭାବରେ କରୋନା ମହାମାରୀକୁ ହରାଇବା ପାଇଁ ସାଧନ ଭାବରେ ୧୮ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣକୁ କାର୍ଯ୍ୟକାରୀ କରିବା ପାଇଁ ଆପଣଙ୍କ ପ୍ରତିବଦ୍ଧତାକୁ ଆଗେଇ ନେଉଛି | ଯେତେବେଳେ ଆପଣ ଟିକାକରଣ ଆରମ୍ଭ କଲେ, ସାରା ଦେଶରେ ଆଇଏମଏ ଡାକ୍ତରମାନେ ଲୋକଙ୍କ ଦ୍ବନ୍ଦ୍ବ ଦୂର କରିବା ପାଇଁ ଟିକା ନେବାକୁ ଆଗେଇ ଆସିଥିଲେ | ଏତେ ସବୁ ପରେ ବି ଏଲୋପାଥି ଚିକିତ୍ସା ଏବଂ ଟିକାକରଣକୁ ନେଇ ବାବା ରାମଦେବ ଯେଉଁ ବୟାନ ଦେଇଛନ୍ତି, ତାହା ନିନ୍ଦନୀୟ | ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ଜରୁରୀ |

ସମ୍ବନ୍ଧିତ ଖବର