ଏଲୋପାଥି ଔଷଧ ଉପରେ ବିବାଦୀୟ ମନ୍ତବ୍ୟ ହେତୁ ରାମଦେବଙ୍କ ନାଁରେ ୧୦୦୦ କୋଟି ଟଙ୍କାର ମାନହାନୀ ନୋଟିସ୍ ପଠାଇଲା ଉତ୍ତରାଖଣ୍ଡ ‘ଆଇଏମ୍ଏ’
ଡେରାଡୁନ୍: କୋଭିଡ୍-୧୯ ସଂକ୍ରମଣ କ୍ଷେତ୍ରରେ ଏଲୋପାଥି ଚିକିତ୍ସା ସମ୍ବନ୍ଧୀୟ ବିବାଦୀୟ ମନ୍ତବ୍ୟ ଦେଇଥିବା ଯୋଗ ଗୁରୁ ରାମଦେବଙ୍କ ନାଁରେ ‘ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍’ର ଉତ୍ତରଖଣ୍ଡ ଶାଖା ୧୦୦୦ କୋଟି ଟଙ୍କାର ମାନହାନୀ ନୋଟିସ୍ ପଠାଇଛି।
ମାନହାନୀ ନୋଟିସ୍ରେ ‘ଆଇଏମ୍ଏ ଉତ୍ତରାଖଣ୍ଡ’ ଲେଖିଛି ଯେ, ଏଲୋପାଥି ଔଷଧ ଉପରେ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ରାମଦେବ ଯଦି ଗୋଟାଏ ଭିଡିଓ ପୋଷ୍ଟ ନ କରନ୍ତି କିଂବା ଆଗାମୀ ୧୫ ଦିନ ମଧ୍ୟରେ ଲିଖିତ କ୍ଷମାଯାଚନା ନ ଦିଅନ୍ତି, ତେବେ ତାଙ୍କ ଠାରୁ ୧୦୦୦ କୋଟି ଟଙ୍କା ଦାବି କରାଯିବ।
ଏହାଛଡ଼ା, ‘ଆଇଏମ୍ଏ’ର ଉତ୍ତରାଞ୍ଚଳ ରାଜ୍ୟ ଶାଖା ମଧ୍ୟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ୍ଙ୍କୁ ରାମଦେବ ଏଲୋପାଥି ଡାକ୍ତରୀ ବୃତ୍ତି ବିରୋଧରେ ଦେଇଥିବା ମନ୍ତବ୍ୟ ସଂକ୍ରାନ୍ତରେ ପତ୍ର ଲେଖିଛନ୍ତି। ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେମାନେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି।

ସ୍ମରଣଯୋଗ୍ୟ, ଦେଶବ୍ୟାପୀ ଡାକ୍ତରଙ୍କ ପ୍ରତିବାଦ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କ ପତ୍ର ପାଇବା ପରେ ଏଲୋପାଥି ଚିକିତ୍ସା ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟକୁ ପ୍ରତ୍ୟାହାର କରି ନେଇଛନ୍ତି ବୋଲି ରବିବାର ଦିନ ଯୋଗ ଗୁରୁ ରାମଦେବ କହିଥିଲେ।
ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏକ ଭିଡିଓରେ ରାମଦେବ କହିଥିଲେ, ଏଲୋପାଥି ହେଉଛି‘ନିର୍ବୋଧ ବିଜ୍ଞାନ’ ଏବଂ କରୋନାଭାଇରସ୍ ନିଜେ ଯେତେସଂଖ୍ୟକ ରୋଗୀଙ୍କୁ ମାରିନାହିଁ, ଏଲୋପାଥି ଔଷଧ ଖାଇ ତା’ଠାରୁ ଅଧିକ କୋଭିଡ୍-୧୯ ରୋଗୀ ପ୍ରାଣ ହରାଇଛନ୍ତି। ଏଭଳି ମନ୍ତବ୍ୟ ସେ ତୁରନ୍ତ ପ୍ରତ୍ୟାହାର କରି ନିଅନ୍ତୁ ନଚେତ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ‘ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍’ (ଆଇଏମ୍ଏ) କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲା।