ଅନ୍ୟରାଜ୍ୟରୁ ଆସାମର ମଦ୍ରାସାକୁ ଆସୁଥିବା ବ୍ୟକ୍ତିମାନଙ୍କ ପଂଜୀକରଣ କରାଯିବ : ହିମନ୍ତ

ଗୌହାଟୀ : ଆସାମରୁ ଦୁଇଜଣ ସଂଦିଗ୍ଧ ଅଲକାଇଦା ଆତଙ୍କବାଦୀଙ୍କୁ ଗିରଫ କରାଯିବା ପରେ ଆସାମ ସରକାର ସତର୍କ ହୋଇଯାଇଛନ୍ତି । ଏହି ଦୁଇ ଆତଙ୍କବାଦୀ ଇମାମ ଭାବେ କାର୍ଯ୍ୟ କରୁଥିବାରୁ ରାଜ୍ୟ ସରକାର କେତେକ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି ଯେ, ରାଜ୍ୟ ସରକାର ଏକ ପୋର୍ଟାଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁ ଇମାମ ଓ ଅନ୍ୟ ବ୍ୟକ୍ତିମାନେ ବାହାର ରାଜ୍ୟ ଓ ଦେଶରୁ ଆସାମର ମଦ୍ରାସାକୁ ଆସିବେ ସେମାନେ ତା ପୂର୍ବରୁ ଏହି ପୋର୍ଟାଲରେ ପଂଜୀକରଣ କରିବେ । କିନ୍ତୁ ଯେଉଁମାନେ ଆସାମର ଲୋକ ସେମାନଙ୍କୁ ଏହା କରିବାକୁ ପଡ଼ିବ ନାହିଁ । ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ଆସାମର ମୁସଲିମମାନଙ୍କ ସାହାଯ୍ୟ ନିଆଯାଉଛି ବୋଲି ସେ କହିଛନ୍ତି ।

ରବିବାରଦିନ ଆସାମ ପୁଲିସ ଆତଙ୍କବାଦୀ ସଂଗଠନ ଅଲ-କାଏଦା ଏବଂ ଅନସରୁଲ୍ଲା ବଙ୍ଗଳା ଟିମ୍ (ଏବିଟି)ର ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ।  ଏହି ଦୁଇ ଜଣ ଆସାମରେ ଦୀର୍ଘଦିନ ଧରି ରହିଆସୁଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି ।  ଗିରଫ ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କର ନାମ ଅବଦୁସ ସୁଭାନ ଏବଂ ଇମାମ ଜାଲାଲୁଦ୍ଦିନ ଶେଖ । ଅବଦୁସ ସୁଭାନ ଟିଙ୍କୁନିଆ ଶାନ୍ତିପୁର ମସଜିଦର ଇମାମ(ମସଜିଦର ପ୍ରାର୍ଥନା ମୁଖ୍ୟ) ଥିବାବେଳେ ଜାଲାଲୁଦ୍ଦିନ ଶେଖ ଗୋଲପାରାର ନାତୁନ ମସଜିଦର ଇମାମ ଥିଲା । ବାଂଲାଦେଶରୁ ଏଠାକୁ ଆସିଥିବା ଜିହାଦି ଆତଙ୍କବାଦୀଙ୍କୁ ସେମାନେ ଆଶ୍ରୟ ମଧ୍ୟ ଦେଇଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣା ପରେ ଆସାମ ପୁଲିସ ସତର୍କ ହୋଇଉଠିଛି ।

 

ସମ୍ବନ୍ଧିତ ଖବର