ହ୍ୟାକ ହେଲା ଭାରତୀୟ ପାଣିପାଗ ବିଭାଗର ଟ୍ୱିଟର ଆକାଉଣ୍ଟ

ନୂଆଦିଲ୍ଲୀ: ଭାରତ ପାଣିପାଗ ବିଭାଗ (ଆଇଏମଡି) ର ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି। ଆକାଉଣ୍ଟକୁ ହ୍ୟାକ୍ କରିବାବେଳେ ହ୍ୟାକର୍ସ ଟ୍ୱିଟ୍ କରି କହିଛନ୍ତି ଯେ, ‘ବେଞ୍ଜ୍ ଅଫିସିଆଲ୍ କଲେକ୍ସନ୍ ଉନ୍ମୋଚନ ହେବାପରେ ଆମେ ଆଗାମୀ ଦୁଇ ଘଣ୍ଟା ପାଇଁ ସମ୍ପ୍ରଦାୟର ସମସ୍ତ ସକ୍ରିୟ ଏନଏଫଟି ବ୍ୟବସାୟୀଙ୍କ ପାଇଁ ଏକ ଏୟାରଡ୍ରପ୍ ଖୋଲିଛୁ। ଏହା ସହିତ ହ୍ୟାକରମାନେ ଏକ ଜିଆଇଏଫ ମଧ୍ୟ ସେୟାର କରିଛନ୍ତି | ଏହି ଘଟଣାକୁ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ଆମର ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଯାଇଛି | ଆମେ ଏହାକୁ ରିଷ୍ଟୋର(ପୁନଃ ସଂସ୍ଥାପିତ) କରିବାକୁ ଚେଷ୍ଟା କରୁଛୁ |

ସୂଚନା ଥାଉ କି ଯେ ଆଇଏମଡିର ଟ୍ୱିଟର ଆକାଉଣ୍ଟରେ ପାଖାପାଖି ୨.୫ ଲକ୍ଷ ଫଲୋୟର୍ସ ଅଛନ୍ତି | ଉଲ୍ଲେଖ ଥାଉ କି ଗତକାଲି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଫିସ୍‌ର ଟୁଇଟର୍‌ ଆକାଉଣ୍ଟ୍‌ ମଧ୍ୟ ହ୍ୟାକ ହୋଇଯାଇଥିଲା | ପ୍ରାୟ ୪ ଘଣ୍ଟା ପରେ ଆଂଶିକ ସ୍ବାଭାବିକ ହୋଇଥିଲା। ଏହା ପରେ ହ୍ୟାକର୍‌ମାନେ ପୋଷ୍ଟ୍‌ କରିଥିବା ଟୁଇଟ୍‌ଗୁଡ଼ିକୁ ହଟାଇ ଦିଆଯାଇଥିଲା |

ପ୍ରାପ୍ତ ସୂଚନା ଅନୁସାରେ, ହ୍ୟାକର୍‌ମାନେ ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ୍‌ ଟୁଇଟର୍‌ ଆକାଉଣ୍ଟ୍‌କୁ ନିୟନ୍ତ୍ରଣ କରିବା ପରେ ସେଥିରେ ଶତାଧିକ ଟୁଇଟ୍‌ ପୋଷ୍ଟ୍‌ କରାଯାଇଥିଲା। ହ୍ୟାକର୍‌ମାନେ ଟୁଇଟର୍‌ ହ୍ୟାଣ୍ଡଲ୍‌ରୁ ମୁଖ୍ୟମନ୍ତ୍ରୀଙ୍କ ‘ଡିସ୍‌ପ୍ଲେ ପିକ୍‌ଚର୍‌’ ମଧ୍ୟ ହଟାଇ ଦେଇଥିଲେ। କିନ୍ତୁ, ଉକ୍ତ ଆକାଉଣ୍ଟ୍‌କୁ ପୁନଶ୍ଚ ସ୍ବାଭାବିକ କରାଯିବା ପରେ ହ୍ୟାଣ୍ଡଲ୍‌ରେ ମୁଖ୍ୟମନ୍ତ୍ରୀଙ୍କ ‘ଡିସ୍‌ପ୍ଲେ ପିକ୍‌ଚର୍‌’ ଦେଖା ଯାଇଥିଲା।

ସମ୍ବନ୍ଧିତ ଖବର