ବିଶ୍ବ ପାଣିପାଗ ସଂଗଠନର ୩ୟ ଉପ-ସଭାପତି ହେଲେ ଡ.ମୃତ୍ୟୁଞ୍ଜୟ ମହାପାତ୍ର

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ବ ପାଣିପାଗ ସଂଗଠନର ୩ୟ ଉପ-ସଭାପତି ନିର୍ବାଚିତ ହୋଇଛନ୍ତି । ସେ ୧୪୮ଟି ଭୋଟରୁ ୧୧୩ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।  ସେହିପରି ଆୟର୍ଲାଣ୍ଡର ପାଣିପାଗ ବିଭାଗ ନିର୍ଦ୍ଦେଶକ ଇଅନ୍ ମୋରାନ ବିଶ୍ବ ପାଣିପାଗ ସଂଗଠନର ୨ୟ ସଭାପତି ଓ ଆଫ୍ରିକୀୟ ଦେଶ ଆଇଭରି କୋଷ୍ଟର ପାଣିପାଗ ବିଭାଗ ମୁଖ୍ୟ ଡାଉଡା କୋନାଟେଙ୍କୁ ପ୍ରଥମ ଉପସଭାପତି ନିର୍ବାଚିତ ହୋଇଛନ୍ତି ।

ଅନ୍ୟପକ୍ଷରେ ଆର୍ଜେଣ୍ଟିନାର ପ୍ରଫେସର ସେଲେଷ୍ଟୋ ସାଉଲୋ ବିଶ୍ବ ପାଣିପାଗ ସଂଗଠନର ମହାସଚିବ ନିର୍ବାଚିତ ହୋଇଛନ୍ତି । ସେ ବିଶ୍ବ ପାଣିପାଗ ସଂଗଠନର ପ୍ରଥମ ମହିଳା ମହାସଚିବ ହୋଇଛନ୍ତି ।  ୟୁନାଇଟେଡ୍ ଆରବ ଏମିରେଟ୍ସର ପାଣିପାଗ ବିଭାଗ ମୁଖ୍ୟ ଡ. ଅବଦୁଲ୍ଲା ମାଣ୍ଡୋସ୍ ଆସନ୍ତା ୪ ବର୍ଷ ପାଇଁ ସଂଗଠନର ସଭାପତି ନିର୍ବାଚିତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ ବିଶ୍ବ ପାଣିପାଗ ସଂଗଠନ ହେଉଛି ମିଳିତ ଜାତିସଂଘର ପାଣିପାଗ, ଜଳବାୟୁ ଓ ଜଳ ସଂପର୍କିତ ସଂଗଠନ । ଜେନିଭାଠାରେ ଚାଲିଥିବା ବିଶ୍ବ ପାଣିପାଗ କଂଗ୍ରେସ ଅବସରରେ ସଂଗଠନର ନୂଆ କର୍ମକର୍ତ୍ତାମାନଙ୍କ ନିର୍ବାଚନ ହୋଇଥିଲା । ଏହି କଂଗ୍ରେସ ଗତ ମେ ୨୨ରୁ ଆରମ୍ଭ ହୋଇଥିବାବେଳେ ଜୁନ ୨ରେ ଶେଷ ହେବ ।

ସମ୍ବନ୍ଧିତ ଖବର