ଏବେ ପାକିସ୍ତାନ ଅଧିକୃତ କଶ୍ମୀରରେ ମଧ୍ୟ ଭାରତୀୟ ପାଣିପାଗ ବିଭାଗ ଆଗୁଆ ପାଣିପାଗ ସୂଚନା ପ୍ରଦାନ କରିବ

ନୂଆଦିଲ୍ଲୀ: ଦୈନନ୍ଦିନ ପାଣିପାଗ ବୁଲେଟିନ୍‌ରେ ଭାରତୀୟ ପାଣିପାଗ ବିଭାଗ ଏବେ ପାକିସ୍ତାନ ଅଧିକୃତ କଶ୍ମୀର ଅନ୍ତର୍ଗତ ଗିଲ୍‌ଗିତ୍-ବାଲ୍‌ତିସ୍ତାନ ଏବଂ ମୁଜାଫରବାଦ ଅଞ୍ଚଳକୁ ସାମିଲ କରିଛି। ଏ ଦୁଇଟି ଅଞ୍ଚଳକୁ ଭାରତୀୟ ପାଣିପାଗ ବିଭାଗ ଜମ୍ମୁ ଓ କଶ୍ମୀରର ପାଣିପାଗ ବିଭାଗ ସବ୍‌ଡିଭିଜନ୍‌ରେ ଅନ୍ତର୍ଭୁକ୍ତ କରିଛି।

ଗିଲ୍‌ଗିତ୍-ବାଲ୍‌ତିସ୍ତାନରେ ନିର୍ବାଚନ କରାଇବାକୁ ପାକିସ୍ତାନର ସୁପ୍ରିମ୍ କୋର୍ଟ ଇସ୍‌ଲାମାବାଦକୁ ଅନୁମତି ଦେବା ପରେ ଭାରତୀୟ ପାଣିପାଗ ବିଭାଗ ପାକିସ୍ତାନ ଅଧିକୃତ କଶ୍ମୀରର ଏ ଦୁଇଟି ସ୍ଥାନକୁ ନିଜ ଅଞ୍ଚଳରେ ସାମିଲ କରିଛି। ଏହାଛଡ଼ା ସେଠାରେ ନିର୍ବାଚନ କରାଯିବା ପ୍ରସଙ୍ଗରେ ମଧ୍ୟ ଭାରତ ତୀବ୍ର ପ୍ରତିବାଦ ଜଣାଇ ସାରିଛି।

Image Source: Zee News

କିନ୍ତୁ, ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ଦୁଇଟି ପୃଥକ୍ କେନ୍ଦ୍ରଶାସିତ ଅଞ୍ଚଳ ହେବା ଦିନ ଠାରୁ ଉପରୋକ୍ତ ଦୁଇଟି ଅଞ୍ଚଳକୁ ଜାତୀୟ ପାଣିପାଗ ବୁଲେଟିନ୍‌ରେ ଉ‌େଲ୍ଲେଖ କରିଥିଲା।

ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସଦ୍ୟତମ ସୂଚନା ଅନୁସାରେ, ମେ ୯ ତାରିଖ ଦିନ ଜମ୍ମୁ ଓ କଶ୍ମୀର, ଲଦାଖ, ଗିଲ୍‌ଗିତ୍-ବାଲ୍‌ତିସ୍ତାନ ଏବଂ ମୁଜାଫରବାଦ ସ୍ଥାନେ ସ୍ଥାନେ ବଜ୍ର, ବିଜୁଳି, କୁଆପଥର, ପବନ ହାବୁକା ସହ ଝଡ଼ବତାସ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର