ସିମଲା: ସୁ ସୁ ଗର୍ଜନ କରି ମାଡି ଆସୁଛି ବନ୍ୟା ଜଳ । ପାଣିର ସୁଅ ଏତେ ପ୍ରଖର ଯେ ସବୁ କିଛି ଧୋଇ ନେଉଛି । ପାହାଡ ଉପରୁ ବର୍ଷା ଜଳର ଅନବରତ ସ୍ରୋତ ପରେ ଏବେ ଫୁଲୁଛି ନଦୀ । ହିମାଚଳ ପ୍ରଦେଶର ଅନେକ ନଦୀରେ ଏବେ ବନ୍ୟା ସ୍ଥିତି । ନଦୀ ଉଛୁଳିବା କାରଣରୁ ବିପଦ ବଢିଛି । ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ମଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପରେ ସ୍ଥିତି ସଙ୍ଗୀନ ହୋଇଛି । 

Advertisment

ଇତିମଧ୍ଯରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ହିମାଚଳ ପ୍ରଦେଶ ପାଇଁ ରେଡ୍ ଆଲର୍ଟ ଜାରି କରିଥିବା ବେଳେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରିଛି । ସେପଟେ ସ୍ଥାନୀୟ ଲୋକେ କହିଛନ୍ତି ଗତକାଲି ବିଳମ୍ବିତ ରାତିରୁ ମଣ୍ଡିରେ ପ୍ରବଳ ବର୍ଷା ହେଉଛି, ସକାଳ ଯାଏଁ ବି ବର୍ଷା ଚାଲିଛି । ସ୍ଥାନେ ସ୍ଥାନେ ଭୂସ୍ଖଳନ ବି ହେଉଛି । ତେଣୁ ସମସ୍ତେ ସୁରକ୍ଷିତ ଭାବେ ଘରେ ରହିବା ଜରୁରୀ ବୋଲି ସ୍ଥାନୀୟ ବାସିନ୍ଦା ଜଣଙ୍କ ଅନୁରୋଧ କରିଛନ୍ତି ।

ତେବେ ଗତକାଲି ହିମାଚଳ ପ୍ରଦେଶରେ ବର୍ଷାର ତାଣ୍ଡବଲୀଳା ପାଇଁ ସବୁଠି ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ଅନେକ ସ୍ଥାନରେ ବଡ ବଡ କୋଠା ଭୁଶୁଡି ପଡିଛି । ଭୂସ୍ଖଳନ ଫଳରେ ଅନେକ ସ୍ଥାନରେ ରାସ୍ତା ଜାମ୍ ରହିଛି ।  ଏଥିସହ ବର୍ଷା ଜନିତ ଅଘଟଣରେ ଏଯାଏଁ ରାଜ୍ୟରେ ୨୩ ଜଣଙ୍କ ମୃତ୍ୟୁ ହେଲାଣି ।

ସେପଟେ ପ୍ରବଳ ବର୍ଷା କାରଣରୁ ବଡ଼ ବଡ଼ ପାହାଡ ଧସି ଯାଉଥିବା ବେଳେ ଘର ସବୁ ଭାସୁଛି । ପ୍ରକୃତିର ତାଣ୍ଡବ ଥରହର ହୋଇଛି ହିମାଚଳ ପ୍ରଦେଶ । ଲଗାଣ ବର୍ଷା ପରେ ମାଡ଼ିଆସିଛି ପ୍ରଳୟଙ୍କାରୀ ବନ୍ୟା ସାଙ୍ଗକୁ ଭୁସ୍ଖଳନ । କେଉଁଠି କୋଠା ଭୁଶୁଡୁଛି । କେଉଁଠି ବନ୍ୟାର ପାଣିରେ ଭାସୁଛି ଘରଦ୍ୱାର । କିଏ ଜୀବନ ବଞ୍ଚାଇବାକୁ ଘର ଛାଡୁଛି ତ ପୁଣି କିଏ ଜଳବନ୍ଦୀ ଅବସ୍ଥାରେ ଉଦ୍ଧାର ପାଇଁ ଅପେକ୍ଷା କରିଛି । ପ୍ରକୃତିର ଏ କରାଳ ରୂପ ଦେଖି ଲୋକେ ୨୦୨୩ର କଥା ମନେ ପକାଇଛନ୍ତି ।