ଆସୁଛି ବାତ୍ୟା : କେରଳ ପାଇଁ ରେଡ ଆଲର୍ଟ ଜାରି କଲା ଆଇଏମଡି

ନୂଆଦିଲ୍ଲୀ : କେରଳରେ ବାତ୍ୟା ଆଶଙ୍କା ରହିଥିବାରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ରାଜ୍ୟର ୩ଟି ଜିଲ୍ଲା ଇଡୁକି, ପଲକ୍କଡ ଓ ତ୍ରିଶୂରରେ ଆସନ୍ତା ୭ ତାରିଖ ପ୍ରବଳ ବର୍ଷା ହେବାର ସମ୍ଭାବନା ବ୍ୟକ୍ତ କରିଛି ଆଇଏମଡି । ଆଗାମୀ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜରୁରୀକାଳୀନ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ପରିସ୍ଥିତିର ମୁକାବିଲା ଲାଗି ଆଜି ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସ୍ଥିତିର ସମୀକ୍ଷା କରାଯାଇଛି ।

ସୂଚନାଯୋଗ୍ୟ ଯେ କେରଳରେ ଏବର୍ଷ ଅଭୁତପୂର୍ବ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏମିତି ବନ୍ୟା କେରଳରେ ଗତ ୧୦୦ ବର୍ଷରେ ଦେଖାଯାଇନଥିଲା ବୋଲି କୁହାଯାଉଛି । ଏହି ବନ୍ୟା ଦ୍ୱାରା ସାରା ରାଜ୍ୟର ଲୋକମାନେ ନାହିଁ ନଥିବା ହିନସ୍ତା ହୋଇଥିଲେ । କିନ୍ତୁ ବୋଧହୁଏ ଏହି ରାଜ୍ୟ ଉପରୁ ପ୍ରକୃତିର କୋପ ଶେଷ ହୋଇନାହିଁ । ଆରବ ସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ ଆଗାମୀ ଦୁଇ ଦିନ ମଧ୍ୟରେ ଅଧିକ ଘନୀଭୂତ ହୋଇ ଏକ ବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ କେରଳ ସମେତ ଆଉ କିଛି ଦକ୍ଷିଣ ଭାରତୀୟ ରାଜ୍ୟ ଯଥା ତାମିଲନାଡୁ, କର୍ଣ୍ଣାଟକ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ଆସନ୍ତା ୬ ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହିତ ପ୍ରବଳ ବେଗରେ ପବନ ବୋହିବାର ମଧ୍ୟ ସମ୍ଭାବନା ରହିଛି । ଏହା ସହିତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବିମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର